ଟ୍ରାଫିକ ନିୟମ ସଂପର୍କରେ ଅବଗତ ପାଇଁ ସଚେତନତା ରାଲି
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ସହରରେ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଇବା ସହ ଲୋକମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବୁଧବାର ସାମ୍ବାଦିକ ପ୍ରତିନିଧିମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିକୁ ବ୍ରହ୍ମପୁର ଏସପି ପିନାକ ମିଶ୍ର ପତାକା ଦେଖାଇ ଆରମ୍ଭ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୋୟ ଭାଉସାହେବ ପ୍ରମୂଖ ଉପସ୍ଥିତ ଥିଲେ। ହେଲମେଟ ବ୍ୟବହାର କରିବା, ଟ୍ରାଫିକ ନିୟମ ପାଳନ କରିବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା, କମ୍ ବୟସ ର ପିଲାମାନଙ୍କୁ ଗାଡି ଚଳାଇବାକୁ ନ ଦେବା ଇତ୍ୟାଦି ସ୍ଲୋଗାନ ଦିଆଯାଇଥିଲା। ସାମ୍ବାଦିକ ମାନଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବୁଲା ଗାଇ, ମଇଁଷି, ଷଣ୍ଢ, କୁକୁରମାନଙ୍କୁ ରାସ୍ତା ହଟାଇବା କାର୍ୟ୍ୟ ସହ ରାସ୍ତାର ଖାଲଖମା ଗୁଡିକ ପାଇଁ ବିଏମସି କତ୍ତୃପକ୍ଷ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ବଡ ଦୁଭାଗ୍ୟଜନକ। ବିଏମସି କତ୍ତୃପକ୍ଷ ଓ ପ୍ରଶାସନ,ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ଦେବା ପୂର୍ବରୁ ଟ୍ରାଫିକ ସମସ୍ୟା କରୁଥିବା ବୁଲା ଗାଇ, ମଇଁଷି, କୁକୁରମାନଙ୍କୁ ରାସ୍ତା ରୁ ହଟାଇବା କାର୍ୟ୍ୟ ସହ ରାସ୍ତା ର ଖାଲଖମା ଗୁଡିକ ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।