ଟ୍ରେନ୍ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ ହୋଇ ନାହିଁ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି । ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ । ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ । ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ । ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି । ଏବଂ ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି । ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ । କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍) ଦିଆଯିବ ନାହିଁ । ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକେଟ୍ କ୍ରୟ କରିବା ଆବଶ୍ୟକ ନାହିଁ । ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ, ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ