ଡ୍ରାଇଭର ସଂଘ ଆନ୍ଦୋଳନରେ ଭୟଭୀତ ନ ହେବାକୁ ପରାମର୍ଶ
ବାଲେଶ୍ୱର, (ସରୋଜ ପଣ୍ଡା):ଡ୍ରାଇଭର ସଂଘର ଆନ୍ଦୋଳନ ଡାକରା ସତ୍ତ୍ୱେ ପରୀକ୍ଷାର୍ଥୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଡ୍ରାଇଭରମାନେ ଯଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନ କରି ସାଧାରଣ ଯାତାୟତରେ ବ୍ୟାଘାତ ସୃଷ୍ଟି ପାଇଁ ଉଦ୍ୟମ କରନ୍ତି, ତାହାଲେ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଏକ ପ୍ରେସ ବିବୃତ୍ତିରେ ଜିଲାବାସୀଙ୍କୁ ଅବଗତ କରିଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ କୌଣସି ବ୍ୟକ୍ତି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।