ତନରତା ଅଷ୍ଟମ ସ୍ୱତନ୍ତ୍ର ପୋଲିସ ବାଟାଲିୟନରେ ପୋଲିସ ଗଠନ ଦିବସ ପାଳିତ
ବେଲଗୁଣ୍ଠା (ଜୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ତନରତା ଠାରେ ଅବସ୍ଥିତ ଅଷ୍ଟମ ସ୍ତନ୍ତ୍ର ପୋଲିସ ବାଟାଲିୟନରେ ୮୪ତମ ପୋଲିସ ଗଠନ ଦିବସ ପାଳିତ ହୋଇଯାଇଚି । ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ପ୍ରଭାତ କିଶୋର ଦାସ ଯୋଗ ଦେଇ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ପରେ ତାଙ୍କ ବକ୍ତବ୍ୟରେ ପୋଲିସମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତା ପାଠ କରିଥିଲେ । କର୍ତ୍ତବ୍ୟ ପାଳନରେ ଆନ୍ତରିକତା, ସେବା ମନୋଭାବ, ପରିସ୍ଥିତିକୁ ଚାହିଁ କାର୍ଯ୍ୟ କରିବା ଏହି ତିନୋଟି ଗୁଣର ଅଭିବୃଦ୍ଧି ପାଇଁ ପୋଲିସ ବାହିନୀ ଯତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉଲ୍ଳେଖନୀୟ ଅବଦାନ ପାଇଁ ଡେପୁଟି ସୁବେଦାର ତେଜ୍ ପ୍ରତାପ କୁଲୁ, ହାବିଲଦାର ଲକ୍ଷ୍ମୀକାନ୍ତ ପ୍ରଧାନ, କନେଷ୍ଟବଲ ଅରୁଣ କୁମାର ସେଠୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ କ୍ରସ କଣ୍ଟ୍ରି କ୍ରୀଡ଼ାରେ ଜାତୀୟ ସ୍ତରରେ ରୌପ୍ୟ ପଦକ ଓ ରାଜ୍ୟସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କନେଷ୍ଟବଳ ଅଶୋକ ଦଣ୍ଡସେନା, ରାଜ୍ୟ ସ୍ତରୀୟ ୫୦ ମିଟର ଓ ୧୦୦ ମିଟର ସ୍ୱର୍ଣ୍ଣ ପଦକ ହାସଲ କରିଥିବା କନେଷ୍ଟବଲ ସୁରେଶ ମିଞ୍ଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୩୧ ତାରିଖରେ ବଜ୍ରପାତରେ ଆହତ ହୋଇଥିବା କନେଷ୍ଟବଲ ନାଟେଙ୍ଗା ଗ୍ରାମର ଈଶ୍ୱର ଲେଙ୍କାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସୁବେଦାର ଶଶିକାନ୍ତ ବଡମାଳିଙ୍କ ନେତୃତ୍ୱରେ ୮୪ଜଣ ଜବାନ ପରେଡରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମାଣ୍ଡାଣ୍ଟ ନୀଳାମ୍ବର ରାୟ, ସୁବେଦାର ଚିତ୍ତରଞ୍ଜନ ସାହୁ, ସୁବେଦାର ଦାଣରଥି ସୋରେନ, ସୁବେଦାର ଗୁୁରୁଚରଣ ବଲାରି ପ୍ରମୁଖ ଉପସ୍ଥିତ ଥିଲେ ।


