ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଚୋର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତ ବିଞ୍ଚଣା ଗ୍ରାମ ଧୋବା ସାହିର ଲୋଚନ ସେଠୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ କଳାକନା ବୁଲାଇଛନ୍ତି I ସୂଚନା ପ୍ରକାରେ ଲୋଚନ ସପରିବାରେ ସୁରତ୍ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଲୋଚନଙ୍କ ମାଆ ଭାସି ସେଠୀ ଏକାକୀ ନିଜ ଘରେ ରହୁଥିଲେ I ବୁଧବାର ଭାସିଙ୍କ ସ୍ଵାସ୍ଥ୍ୟ ଭଲ ନଥିବାରୁ ପଡିଶା ଘରେ ରହୁଥିବା ବଡପୁଅ ସଞ୍ଜୟ ସେଠୀଙ୍କ ଘରକୁ ଚାଲିଯାଇଥିଲେ I ଭାସି ସକାଳୁ ଉଠି ଲୋଚନଙ୍କ ବାରିପଟ କବାଟ ଭଙ୍ଗାଯାଇ ଜିନିଷପତ୍ର ଏଣେତେଣେ ପଡିଥିବା ଦେଖିଥିଲେ I ସେ ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମୀରା ଭାଙ୍ଗି ସେଥିରେ ଥିବା ଦଶ ହଜାର ଟଙ୍କା, ଅନ୍ୟ ଏକ କୋଠରୀରେ ଥିବା କାଠ ଆଲମୀରା ଭିତରୁ ଗୋଟିଏ ସୁନା ମଥାମଣି,କାନଫୁଲ,ସେବତୀ ଫୁଲ ସହ ଏକ ରୂପା ବ୍ରେସଲେଟ୍ ଚୋରମାନେ ନେଇଯାଇଥିବା ଜାଣିବାକୁ ପାଇଥିଲେ I ସୁନା ଅଳଙ୍କାର ପ୍ରାୟ ଦେଢଭରି ଓଜନର ହୋଇଥିବା ବେଳେ ରୂପା ବ୍ରେସଲେଟ୍ ଟି ପ୍ରାୟ 40 ରୁ 50 ଗ୍ରାମ୍ ଓଜନର ହେବ ବୋଲି ଜଣାପଡିଛି I ଏହା ସହ ଅନ୍ୟ ଏକ ପେଢିରେ ଥିବା ବାର ହଜାର ଟଙ୍କା ମଧ୍ୟ ଚୋରମାନେ ନେଇଯାଇଥିବା ରାଜୀବ୍ ଲୋଚନ ସେଠୀ ପ୍ରକାଶ କରିଛନ୍ତି I ଏନେଇ ସେ ସକାଳୁ ଶହେ ନମ୍ବର୍ ରେ ଡାଏଲ୍ କରିଥିଲେ I ପରେ ଥାନାରେ ଖବର ଦେବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ଅପରାହ୍ଣ ତିନିଟାରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି I ବର୍ତ୍ତମାନ ସୁଦ୍ଧା ପୋଲିସ୍ ଚୋରମାନଙ୍କର କୌଣସୀ ସନ୍ଧାନ ପାଇପାରି ନାହିଁଁ I ଗତ କିଛି ଦିନ ହେବ ଚୋରମାନେ ସକ୍ରିୟ ହୋଇ ଉଠିଥିବାରୁ ପୋଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I