ତିର୍ତୋଲ ବ୍ଲକରେ ଭୋଟ ବର୍ଜନ କଲେ ୬୦୦ ରୁ ଉର୍ଦ୍ଧ ଭୋଟର
ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ବ୍ଲକର ୨ଟି ପଞ୍ଚାୟତ ୩ଟି ୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ମଙ୍ଗଳବାର ଅନୁଷ୍ଠିତ ଉପନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି । ପୂର୍ବରୁ ଏହି ବ୍ଲକର ଗୋପାଳପୁର, କଟରା ଓ ବିରିତୋଳ ପଞ୍ଚାୟତର କେତେକ ଗ୍ରାମର ଭୋଟର ଭୋଟ ବର୍ଜନ ପାଇଁ ଧମକ ଦେଇଥିଲେ। ଏହି ସବୁ ପଞ୍ଚାୟତ ଦେଇ ଯାଇଥିବା ୧୦ନଂ କେନାଲ ବନ୍ଧ ରାସ୍ତା ଗମନା ଗମନ ନିମନ୍ତେ ଅନୁପଯୁକ୍ତ ହୋଇଥିବାରୁ ଏହି ରାସ୍ତା ନିର୍ମାଣ ନହେଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ଏହି ସବୁ ପଞ୍ଚାୟତ ମଧ୍ୟରୁ ବିରିତୋଳ ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର ଲୋକମାନେ ଭୋଟ ବର୍ଜନରୁ ବିରତ ରହି ଭୋଟ ଦାନ କରିଥିବା ବେଳେ କଟରା ଓ ଗୋପାଳପୁର ପଞ୍ଚାୟତର ୩ଟି ୱାର୍ଡର ୬୦୦ ଉର୍ଦ୍ଧ ଭୋଟ ଭୋଟର ବର୍ଜନ କରିଛନ୍ତି । କଟରା ପଞ୍ଚାୟତରେ ହୋଇଥିବା ୧୯ନଂ ୱାର୍ଡ ପାଇଁ ହୋଇଥିବା ୧୪୦(ଏ) ବୁଥରେ ଥିବା ହାଜିନଗର ଗାଁର ୫୫୭ ଜଣ ଭୋଟର ଭୋଟ ଦାନରୁ ବିରତ ରହିଛନ୍ତି । ସେହିଭଳି ଗୋପାଳପୁର ପଞ୍ଚାୟତର ୧୦ ନଂ ୱାର୍ଡ ମଇନ୍ଦପୁର ଗ୍ରାମ ସହ ୧୧ ନଂ ୱାର୍ଡ କେତେକ ଭୋଟର ଭୋଟ ବର୍ଜନ କରିଥିବା ଜଣାଯାଇଛି ।