ଦକ୍ଷିଣ କୋରିଆରେ ଆରମ୍ଭ ହେଲା ୫ଜି

ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ କୋରିଆ ୫-ଜି ମୋବାଇଲ ନେଟୱାର୍କ ସେବା ଆରମ୍ଭ କରିଛି। ବୁଧବାର ରାତି ୧୧ଟା (ସ୍ଥାନୀୟ ସମୟ)ରେ ୫-ଜି ସେବାର ଶୁଭାରମ୍ଭ ହୋଇଥିଲା ଓ ଦକ୍ଷିଣ କୋରିଆ ଏହି ଉପଲବ୍ଧି କ୍ଷେତ୍ରରେ ବିଶ୍ୱର ପ୍ରଥମ ଦେଶ ହୋଇଛି। ପ୍ରଥମେ ଏହି ସେବା ଆରମ୍ଭ କରିବା ପାଇଁ ଅପ୍ରେଲ ୫କୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆରେମିକା କମ୍ପାନୀକୁ ମାତ ଦେବା ପାଇଁ ଦୁଇ ଦିନ ପୂର୍ବରୁ ଏହି ସେବା ଆରମ୍ଭ କରାଗଲା ବୋଲି ଦକ୍ଷିଣ କୋରିଆର ଟେଲିକମ୍‍ ବିଶେଷଜ୍ଞମାନେ କହିଛନ୍ତି। ୪-ଜି ତୁଳନାରେ ୫-ଜି ନେଟୱାର୍କ ପ୍ରାୟ ୨୦ ଗୁଣ ଅଧିକ ଦ୍ରୁତ ଗତିରେ ଚାଲିବ।
ଦକ୍ଷିଣ କୋରିଆର ଶୀର୍ଷ ୩ଟି ଟେଲିକମ କମ୍ପାନୀ, କେଟି ଏବଂ ଏଲ୍‍ଜି ୟୁପ୍ଲସ୍‍ ଦେଶବ୍ୟାପୀ ଏହି ସେବା ପ୍ରଦାନ କରୁଛନ୍ତି। ୫-ଜି ସେବା ପ୍ରଥମେ ଦକ୍ଷିଣ କୋରିଆର ୬ ଜଣ ସେଲିବ୍ରେଟିଙ୍କ ଫୋନ୍‍ରେ ଆକ୍ଟିଭ କରାଯାଇଥିଲା। ସ୍ୟାମସଙ୍ଗ ଗାଲାକ୍ସି ଏସ୍‍-୧୦ ୫-ଜି ମଡେଲରେ ପ୍ରଥମ ଥର ୫-ଜି ନେଟୱାର୍କ ଆରମ୍ଭ ହୋଇଛି। ସାମସଙ୍ଗ ଏକ ଦକ୍ଷିଣ କୋରିଆ କମ୍ପାନୀ ଓ ଫେବୃଆରୀ ମାସରେ ଏହି କମ୍ପାନୀ ୫-ଜି ସେବା ଉପଲବ୍ଧ ଫୋନ୍‍ର ବଜାର ପ୍ରବେଶ କରାଇଥିଲା। ଏହି ଫୋନ୍‍ର ଦାମ ପାଖାପାଖି ୨ ହଜାର ଡଲାର ରହିଛି। ଦକ୍ଷିଣ କୋରିଆ ଆଶା କରିଛି ଯେ ୫-ଜି ସେବା ଆରମ୍ଭ ଦ୍ୱାରା ଦେଶରେ ସ୍ମାର୍ଟ ସିଟି, ଚାଳକ ବିହୀନ କାର ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟିବ। ଦକ୍ଷିଣ କୋରିିଆର ଅର୍ଥ ବ୍ୟବସ୍ଥା ମାନ୍ଦା ହେଉଥିବାବେଳେ ଅଭିବୃଦ୍ଧି ହାର ୬ ବର୍ଷର ନ୍ୟୁନତମସ୍ତରରେ ପହଞ୍ଚିଛି। ୫-ଜି ନେଟୱାର୍କ ସେବା ଆରମ୍ଭ ଦ୍ୱାରା ଅର୍ଥନୀତି ଅଭିବୃଦ୍ଧିରେ ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ୫-ଜି ସେବା ପ୍ରଥମେ ଆରମ୍ଭ କରିବା ପାଇଁ ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଆମେରିକାର ଟେଲିକମ କମ୍ପାନୀ ୱାରାଇଜନ ଅପ୍ରେଲ ୧୧ରେ ଦୁଇ ସହରରେ ୫-ଜି ସେବା ଆରମ୍ଭ କରିବ। ଚୀନର କେତେକ ସହରରେ ଏହି ସେବାର ପରୀକ୍ଷଣ ଚାଲିଛି ଓ ଖୁବଶୀଘ୍ର ଏହା ଦେଶର ସବୁ ସହରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଦକ୍ଷିଣ କୋରିଆ ଟେଲିକମ କମ୍ପାନୀଗୁଡ଼ିକ ୫-ଜି ସେବାର ମାର୍କେଟିଂ ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି। ଦକ୍ଷିଣ କୋରିଆର ଏସ୍‍କେ ଟେଲିକମ୍‍ ୨୦୧୯ ଶେଷ ସୁଦ୍ଧା ୫-ଜିରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସଂଯୋଗ କରିବାକୁ ଆଶା ରଖିଛି। ଏହି କମ୍ପାନୀ ନିକଟରେ ଏବେ ୨.୭ କୋଟି ଉପଭୋକ୍ତା ଅଛନ୍ତି।
ଆସନ୍ତା ବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଭାରତରେ ୫-ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ସ୍ପେକ୍ଟ୍ରମ କିଣିବା ପରେ କମ୍ପାନୀଗୁଡ଼ିକ ଭିତ୍ତିଭୂମି ବିକାଶ କରିବେ। ଏହାପରେ ସେବା ଆରମ୍ଭ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ