ଦରମା ନ ପାଇ ଜଟିଳ ସ୍ଥିତିରେ ଜିଲ୍ଲାର ୨୩୫ ନର୍ସିଂ ଅଫିସର
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଭିନ୍ନ ଦାବି ନେଇ ବାଲେଶ୍ୱରର ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ ଅଫିସରମାନେ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ୮୫ ଜଣ ଓ ନିକଟତୀତରେ ନିଯୁକ୍ତ ୧୫୦ ଜଣଙ୍କୁ ମିଶାଇ ଏବେ ୨୩୫ ଜଣ ନର୍ସିଂଅଫିର ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଛନ୍ତି । ସାଧାରଣ ଷ୍ଟାଫ ନର୍ସଙ୍କ ଭଳି ସେମାନେ ସମାନ କାର୍ଯ୍ୟ କରୁଥିଲେ ବି ସେମାନଙ୍କୁ ମାସିକ ୧୨,୬୦୦ ଟଙ୍କା ଦରମା ମିଳିଥାଏ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସରକାରୀ କ୍ୱାର୍ଟର୍ସ ନମିଳିବା ଯୋଗୁଁ ସ୍ୱଳ୍ପ ଦରମା ଅର୍ଥରେ ଘରଭଡ଼ା ନେଇ ସେମାନେ ବାହାରେ ରହୁଛନ୍ତି । ସେହିଭଳି ସମଗ୍ର ରାଜ୍ୟରେ ନିଯୁକ୍ତ ନର୍ସିଂ ଅଫିସରଙ୍କୁ ସରକାରଙ୍କ ପକ୍ଷରୁ ଡ୍ରେସ ପାଇଁ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ବାଲେଶ୍ୱର ଓ ବାରିପଦାରେ ସେମାନଙ୍କୁ ବଞ୍ଚିତ କରାଯାଉଛି । ଏଭଳି ସ୍ଥିତିରେ ଗତ ୩ ମାସ ଧରି ସେମାନଙ୍କୁ ଦରମା ମିଳିନଥିବା ଏହି ନର୍ସିଂ ଅଫିସରମାନେ କହିଛନ୍ତି । ସେମାନଙ୍କୁ ବକେୟା ଦରମା ଅର୍ଥ ସାଙ୍ଗକୁ ସରକାରୀ କ୍ୱାର୍ଟର୍ସ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ନତୁବା କୋଭିଡ ଭଳି ସ୍ଥିତିରେ ବି ଆଗାମୀ ଦିନରେ ସେମାନେ କାର୍ଯ୍ୟବନ୍ଦ ପାଇଁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସୁଜାତା ମିଶ୍ରଙ୍କୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ଅନୀତା ଦାସ, ଲକ୍ଷ୍ମୀପ୍ରିୟା ବେହେରା, ଗାୟତ୍ରୀ ମଲିକ, ତୁଳସୀ ସୋରେନ, ପୁଷ୍ପିତା କିସ୍କୁ, ହିମାନି ନାୟକ, ଅର୍ଜୁନ ବାଗ, ସଂଯୁକ୍ତା ଜେନା, ମନିଷା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଖୁବଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ଅଧୀକ୍ଷକ ଡାକ୍ତର ମିଶ୍ର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ନର୍ସିଂ ଅଫିସରମାନେ କହିଛନ୍ତି ।