ଦିନକ ପରେ ଦଶହରା ବଜାର ଭିଡ,ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍
ହିଞ୍ଜିଳିକାଟୁ, ୧୦/୧୦(ଶେଷଦେବ ସାହୁ): ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି । ଆଉ ମାତ୍ର ଦିନକ ପରେ ଦଶହରା ବା ଦୁର୍ଗା ପୂଜା ତା ପଛକୁ ପଛ ଆସୁଛି କୁମାରପୁର୍ଣ୍ଣିମା ଓ ଆଲୋକର ପର୍ବ ଦୀପାବଳି । ଏଭଳି ପର୍ବରେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ନୂତନ ପୋଷାକ ପରିଧାନ କରିଥାନ୍ତି । ଏହି ପର୍ବ ପୂର୍ବରୁ ନୂଆଁ ପୋଷାକ କିଣିବା ପାଇଁ ବଜାରରେ ଜମିଲାଣି ଗ୍ରାହକଙ୍କ ଅସମ୍ଭବ ଭିଡ । ଖାଲି ଯେ ପୋଷାକ, ଜାମା ନୁହେଁ ଏହା ସହ ଘର ସାଜସଜ୍ଜା ପାଇଁ ଜିନିଷ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ରକମର ଜିନିଷ କିଣିବା ଲାଗି ବଜାରରେ ଗ୍ରାହକ ମାନଙ୍କ ଅସମ୍ଭବ ଭିଡ ଜମୁଥିବା ଦେଖିବାକୁ ମିଳିଛି । ଲୁଗାପଟା, ପୂଜାସାମଗ୍ରୀ ସହ ଘରକରଣା ସାମଗ୍ରୀ କିଣିବାରେ ଲାଗି ପଡିଛନ୍ତି ଲୋକେ । ଏଥି ପାଇଁ ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହର ଗତ କିଛି ଦିନ ହେଲା ବେଶ ଚଳଚଞ୍ଚଳ ହୋଇଉଠିଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ରୁ ଉର୍ଦ୍ଧ୍ୱ ଗ୍ରାଞ୍ଚଳର ଜନସାଧାରଣ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ହିଞ୍ଜିଳିକାଟୁ ବଜାରକୁ ଆସିଥାନ୍ତି । ସ୍ଥାନୀୟ ପୌରାଞ୍ଚଳର ଲକ୍ଷ୍ମୀ ବଜାର ସମେତ ବଡ ବଡ ଲୁଗା, ରେଡିମେଡି ପୋଷାକ, ପୂଜାଭଣ୍ଡାର ସହ ଘରକରଣା ସାମଗ୍ରୀର ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରତ୍ୟହ ସକାଳୁ ରାତ୍ର ୧୦ଟା ଯାଏଁ ଗ୍ରାହକ ମାନଙ୍କ ଭିଡ ଜମୁୂଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ଲୋଭନୀୟ ଅଫର୍ ଓ ରିହାତି ଘୋଷଣା କରାଯାଇଛି । ବିଶେଷକରି ରେଡିମେଡି ପୋଷାକ ଓ ଲୁଗା ଦୋକାନ ଗୁଡିକରେ ୨୦ ରୁ ୫୦% ପର୍ଯ୍ୟନ୍ତ ରିହାତି ଥିବା ବଡ ବଡି ହୋଡିଂକୁ ଦୋକାନ ସମ୍ମୁଖରେ ଲଗାଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଉଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, କଲିକତା, ଚେନ୍ନାଇ ସମେତ ରାୟପୁର ଅଞ୍ଚଳରୁ ବହୁ ମନଲୋଭା ସାମଗ୍ରୀ ଆଣି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ଅନ୍ୟପଟେ ପୂଜାଭଣ୍ଡାର ଗୁଡିକରେ ପ୍ଳଷ୍ଟିକ ଫୁଲମାଳ ସାଙ୍ଗକୁ ପୂଜା ସାମଗ୍ରୀର ବିକ୍ରି ଜୋର ଧରିଛି ।