ଦିବ୍ୟାଙ୍ଗଙ୍କୁ ପ୍ରଶାସନର ଅଣଦେଖା ସହାୟତା ଅପେକ୍ଷାରେ ସୁମତି

ଫୁଲବାଣୀ(ଜୁଗାବ୍ଦ ନ୍ୟୁଜ୍‍): ସରକାର ଭିନ୍ନକ୍ଷମଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ମାତ୍ର ଏହି ଯୋଜନା ପାଇବା ପାଇଁ ପ୍ରକୃତ ହିତାଧିକାରୀକୁ ବାରମ୍ବାର ବ୍ଲକ ଅଫିସ ଠାରୁ ଆରମ୍ଭ କରି ଜିଲ୍ଲା ଅଫିସ ପର୍ଯ୍ୟନ୍ତ ଦଉଡ଼ି ଦଉଡ଼ି ନିରାଶ ହେବାକୁ ପଡ଼ୁଛି । ଯୋଜନାରେ ଅର୍ନ୍ତଭୁକ୍ତ ହେବା ତ ଦୂରର କଥା, ଏମାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ମଧ୍ୟ ବର୍ଷ ବର୍ଷ ଲାଗି ଯାଇଥାଏ । ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଯୋଜନାରେ ଆବାସ ଯୋଜନାରେ ଘର ଆସୁଥିଲେ ମଧ୍ୟ ସେମାନଙ୍କୁ ଦିଆଯାଉନାହିଁ । ଘର ଯୋଗାଇ ଦେବାକୁ ସରପଞ୍ଚମାନେ ଟଙ୍କା ମାଗୁଥିବା ଅଭିଯୋଗ ହେଉଛି । ଏ ନେଇ ବାରମ୍ବାର ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଛତିଝର ଗ୍ରାମର ଭିନ୍ନକ୍ଷମ ନାବାଳିକାଙ୍କ କ୍ଷେତ୍ରରେ ।
ଗ୍ରାମର ତଲିଆ ଭୂକ୍ତାଙ୍କ ୧୭ ବର୍ଷର ଝିଅ ସୁମତି ଭୂକ୍ତାଙ୍କ ଡାହାଣ ଗୋଡ଼ ପାଦ ପାଖରୁ ପିଲାଦିନରୁ ବଙ୍କା ହୋଇଥିବାରୁ ଠିକ ଭାବେ ଚାଲିପାରିୁନାହିଁ । ଏଣୁ ଭିନ୍ନକ୍ଷମ ସାର୍ଟିଫିକେଟ ଲାଗି ସେ କ୍ରମାଗତ ଭାବେ ଆବେଦନ କରି ଆସୁଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ହେଲା ତାହା ତାଙ୍କୁ ମିଳିପାରିନାହିଁ । ସୁମତି ଚଳିତ ମାଟ୍ରିକ ପରୀକ୍ଷାରେ ପାସ କରିଥିବା ବେଳେ କଲେଜରେ ନାମଲେଖାଇବାକୁ ଅପେକ୍ଷା କରିଛନ୍ତି । ମାତ୍ର ଗରିବ ପରିବାରର ସୁମତିଙ୍କ ପାଠପଢ଼ାରେ ଅର୍ଥବାଧକ ସାଜିଛି । ଏଣୁ ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଲେ ତାଙ୍କୁ ସରକାରୀ ସହାୟତା ମିଳିବ ଫଳରେ ସେ ଆଗକୁ ପଢ଼ିପାରିବେ ବୋଲି ଆଶାବାଦୀ ଅଛନ୍ତି । ଶେଷଥର ୧୬ ଡିସେମ୍ବର ୨୦୧୭ରେ ସାର୍ଟିଫିିକେଟ୍ ପାଇଁ ଆବେଦନ କରିଥିଲେ ମଧ୍ୟ ଦୀର୍ଘ ଦେଢବର୍ଷରୁ ଅଧିକ ସମୟ ପରେ ବି ତାଙ୍କୁ ସାର୍ଟିଫିକେଟ୍ ମିଳିପାରିନଥିବା କହିଛନ୍ତ ସୁମତି । ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀଙ୍କୁ ପଚାରିବାରୁ ସେ କହିଲେ, ଏ ବିଷୟରେ ମୁଁ ଜାଣିନାହିଁ, ଦେଖିଲାରେ ତୁରନ୍ତ ପ୍ରଦାନ କରିବାକୁ ଚେଷ୍ଟା କରିବି । ତେବେ ସୁମତିଙ୍କୁ ଯଥାଶୀଘ୍ର ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ