ଜିରୋ ବାଲାନ୍ସଧାରୀଙ୍କ ପାଇଁ ଆର୍ବିଆଇର ନୂଆ ନିୟମ
ନୂଆଦିଳ୍ଲୀ, (ଏଜେନ୍ସି): ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ସମୀକ୍ଷା ବୈଠକ ଇତି ମଧ୍ୟରେ ସମ୍ପନ୍ନ ହୋଇସାରିଛି । ଏହି ବୈଠକ ପରେ ଆର୍ବିଆଇ ଅନେକ ବଡ଼ ଘୋଷଣା କରିଛି । ଆର୍ବିଆଇର ଏହି ବଡ଼ ଘୋଷଣାର ପରମ୍ପରା ଏବେ ବି ଜାରି ରହିଛି । ଆର୍ବିଆଇ ବେସିକ୍ ସଞ୍ଚୟ ଓ ଜମା (ବିଏସ୍ବିଡ଼ି) ଆକାଉଣ୍ଟ ସହିତ ସମ୍ପୃକ୍ତ ନିୟମରେ ପରିବର୍ତ୍ତନ କରି ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ କେତେକ ସୁବିଧା ପ୍ରଦାନ କରିଛି । ରିଜର୍ଭ ବ୍ୟାଙ୍କ୍ ନିୟମରେ ପରିବର୍ତ୍ତନ କରିବା ପରେ ଏବେ ବେସିକ୍ ଆକାଉଣ୍ଟଧାରୀ ମଧ୍ୟ ଚେକ୍ବୁକ୍ ଓ ଅନ୍ୟ ସୁବିଧା ହାସଲ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି । ଏଥିସହିତ ବ୍ୟାଙ୍କ୍ ଏହି ସୁବିଧା ପାଇଁ ଆକାଉଣ୍ଟଧାରୀଙ୍କୁ କୌଣସି ନୂନ୍ୟତମ ରାଶି ରଖିବା ପାଇଁ କହିପାରିବେ ନାହିଁ । ରିଜର୍ଭ ବ୍ୟାଙ୍କ୍ର ନୂଆ ନିୟମ ଅନୁସାରେ ଏବେ ଆକାଉଣ୍ଟଧାରୀ ପ୍ରତି ମାସରେ ଅତିକମ୍ରେ ୪ଥର ଟଙ୍କା ଉଠାଣ ସୁବିଧା ମଧ୍ୟ ପାଇପାରିବେ । ଏହି ନୂଆ ନିୟମ ଜାରି କରି ରିଜର୍ଭ ବ୍ୟାଙ୍କ୍ ସମସ୍ତ ବ୍ୟାଙ୍କ୍କୁ କହିଛନ୍ତି ଯେ ଉକ୍ତ ନିୟମରେ ରିହାତିର ଲାଭ ପ୍ରତି ଗ୍ରାହକଙ୍କ ନିକଟରେ ଅତିଶୀଘ୍ର ପହଞ୍ଚିବା ଆବଶ୍ୟକ । ପ୍ରକାଶ ଯେ ଏବେ ବିଏସ୍ବିଡ଼ି ଆକାଉଣ୍ଟଧାରୀଙ୍କ ଚେକ୍ବୁକ୍ ପରି ଅତିରିକ୍ତ ସୁବିଧା ନେବା ସ୍ଥଳେ ବେସିକ୍ ସଞ୍ଚୟ ଆକାଉଣ୍ଟ ସାମାନ୍ୟ ଆକାଉଣ୍ଟରେ ପରିବର୍ତ୍ତନ ହୋଇଥାଏ । ଏଥିସହ ଗ୍ରାହକଙ୍କୁ ସାମାନ୍ୟ ବାଲାନ୍ସ ରଖିବା ପାଇଁ ବାଧ୍ୟ ହେବାକୁ ପଡ଼ିଥାଏ । ଏଥିସହିତ କେତେ ପ୍ରକାରର ଚାର୍ଜ ମଧ୍ୟ ଦେବାକୁ ହୋଇଥାଏ । ବିଏସ୍ବିଡ଼ି ଆକାଉଣ୍ଟଧାରୀଙ୍କୁ ମାସକରେ ୪ଥର ବିନା ଶୁଳ୍କରେ ଟଙ୍କା ଉଠାଣର ସୁବିଧା ମିଳିବ । ଯେଉଁଥିରେ ଏଟିଏମ୍ରୁ ଉଠାଣ ମଧ୍ୟ ସାମିଲ ରହିଛି । ତେବେ ଜମା କରିବାର କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ ।


