ଦୀପାବଳିରେ କେବଳ ସବୁଜ ବାଣ ବ୍ୟବହାରକୁ ଅନୁମତି
ବାଲେଶ୍ୱର, (ସରୋଜ ପଣ୍ଡା) : ଚଳିତ ବର୍ଷ ଦୀପାବଳି ପର୍ବ ପାଳନ ଅବସରରେ କେବଳ ସବୁଜ ବାଣ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କୋଭିଡ୍-୧୯ ମହାମାରୀ ସଂକ୍ରମଣ ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ପାରମ୍ପରିକ ଭାବେ ବ୍ୟବହୃତ ହେଉଥିବା ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଅଛି । ଏହି କ୍ରମରେ ବେଆଇନ ଭାବେ ବାଣ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ କ୍ରମେ ଏଥିପାଇଁ ସ୍ୱତନ୍ତ୍ର ଭାବେ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରି ବାଣ ଜବତ୍ କରିଛନ୍ତି । ଏଥି ସହିତ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସରକାରୀ କଟକଣା ଏବଂ ନିର୍ଦ୍ଦେଶର ଯେଭଳି ଠିକ୍ ଭାବେ ଅନୁପାଳନ ହେବ, ତାହା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ପ୍ରତି ବ୍ଲକରେ ସ୍ଥାନୀୟ ତହସିଲଦାର ଏବଂ ଥାନାଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ବାଣ ବିକ୍ରୀ କରିବାକୁ ଚାହୁଁଥିବା ଦୋକାନୀମାନେ ପ୍ରଶାସନ ପକ୍ଷରୁ ଅନୁମତି ନେବା ଆବଶ୍ୟକ । ତହସିଲଦାର, ଅଗ୍ନିଶମ ଅଧିକାରୀ ଏବଂ ଥାନାଧିକାରୀ ମିଳିତ ଭାବେ ଯାଂଚ କରି ରିପୋର୍ଟ ପ୍ରଦାନ କଲା ପରେ ହିଁ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ । ଏଥି ସହିତ ପେସୋ (ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋଜିଭ ସେଫ୍ଟି ଅର୍ଗାନାଇଜେସନ) ଅଧିନିୟମରେ ମଧ୍ୟ ଦୋକାନୀମାନେ ସାର୍ଟିଫିକେଟ୍ ହାସଲ କରିବାକୁ ହେବ । ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଦୀପାବଳି ଦିନ ରାତି ୮ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଅନ୍ୟ ସମୟରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଏ ସବୁ ନିୟମର ଅନୁପାଳନ ସହ ସୁରକ୍ଷିତ ଦୀପାବଳି ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି ।


