ଦୀର୍ଘଦିନର ଦାବି ଭେଷଜ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେବାକୁ ସ୍ଵୀକୃତି
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଂଜିଆ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ଦୂରବସ୍ଥା ନେଇ ଉପଖଣ୍ଡବାସି ଚିନ୍ତା ପ୍ରକଟ କରିବା ସହିତ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିକଟରେ ଉକ୍ତ ସମସ୍ୟାର ପ୍ରତିକାର ଓ ଡ଼ାକ୍ତର ନିଯୁକ୍ତି ପାଇଁ ଦାବି କରିଆସୁଥିଲେ । ବିଶେଷ ଭାବେ ଭେଷଜ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଜରୀଆରେ ମନ୍ତ୍ରୀ ଅବଗତ କରିବା ସହିତ ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ବିଧାନ ସଭାରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଚିକିତ୍ସାଳୟରେ ଡ଼ାକ୍ତର ସମସ୍ୟା ଲାଗି ରହିଥିବାବେଳେ ଆଜି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ପ୍ରଚେଷ୍ଟା କ୍ରମେ ଉକ୍ତ ୨ ଗୋଟି ବିଭାଗ ପାଇଁ ୨ ଜଣ ଡାକ୍ତର ନିଯୁକ୍ତି ପାଇଁ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି । ଭେଷଜ ବିଭାଗରେ ମନୋରଞ୍ଜନ ମହାରଣା ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ରତିରଂଜନ ମହାନ୍ତ ଯୋଗଦାନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଚିକିତ୍ସାଳୟ କୁ ଫାଇପ୍ ଟି ଅନ୍ତର୍ଭୁକ୍ତ କରାଯାଇ ନୂତନ ଓପିଡି ଗୃହକୁ ମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଚିକିତ୍ସାଳୟର ନବକଳେବର ଚାଲୁ ରହିଥିବାବେଳେ ବହୁ ଦିନର ଦାବି ଭେଷଜ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିକିତ୍ସାଳୟରେ ନିଯୁକ୍ତି ପାଇଁ ସହମତି ପ୍ରକାଶ କରିଥିବାରୁ ଉପଖଣ୍ଡ ବାସି ଏହାକୁ ସ୍ବାଗତ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଓ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କୁ ତାଙ୍କ ପ୍ରଚେଷ୍ଟା ପାଇଁ ସାଧୁବାଦ୍ ଜଣାଇଛନ୍ତି । ଚିକିତ୍ସାଳୟ ବାବଦକୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ନିଜ ପ୍ରତିକ୍ରିୟାରେ ରୋଗୀଙ୍କ ପାଇଁ ରକ୍ତ ପ୍ରଦାନର ସୁପରିଚାଳନା ବ୍ୟବସ୍ଥା, ପରିଷ୍କାର,ପରିଚ୍ଛନ୍ନତା, ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ପ୍ରତି ସୁବ୍ୟବହାର ଦେଖାଇବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ମେଡିକାଲ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିବା ସହିତ ଅଂଚଳବାସିଙ୍କ ସହଯୋଗ କାମନା କରିଛନ୍ତି। ଡାକ୍ତର ନିଯୁକ୍ତି ଖବର ପାଇବା ପରେ ଅବସରପ୍ରାପ୍ତ ତଥା ବରିଷ୍ଠ ନାଗରିକ ସଂଘ ସଦସ୍ୟ ମାନେ ଖୁସି ଜାହିର କରିଛନ୍ତି ।


