ଦେଶବ୍ୟାପୀ ଏନଆରସି ଲାଗୁ ହେବାର କୌଣସି ନିଷ୍ପତି ହୋଇନାହିଁ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଏନପିଆର ସଂଶୋଧନ ସମୟରେ କୌଣସି ଦସ୍ତାବିଜ ମଗାଯିବ ନାହିଁ  । ସୂଚନାଦାତା ନିଜ ଜ୍ଞାନ ଓ ବିଶ୍ୱାସ ଆଧାରରେ ସୂଚନା ଦେଇପାରିବେଚା ସାରା ଦେଶରେ ଜାତୀୟ ଭାରତୀୟ ନାଗରିକ ପଞ୍ଜିକା(ଏନଆରଆଇସି) ପ୍ରସ୍ତୁତି ଓ ଲାଗୁ ପାଇଁ କୌଣସି ନିଷ୍ପତି ନିଆଯାଇ ନାହିଁ ବୋଲି ଆଜି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ । ସରକାର ଏ ସଂକ୍ରାନ୍ତରେ କୌଣସି ନିଷ୍ପତି ନେଇନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରସ୍ତୁତି ଏବଂ ସଂଶୋଧନ ସଂକ୍ରାନ୍ତରେ ଆଜି ଲୋକସଭାରେ ଲିଖିତ ଉତର ରଖିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ । ସେ କହିଥିଲେ ଯେ, ଜନସଂଖ୍ୟା ପଞ୍ଜିକାରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଏବଂ ସେ ରହୁଥିବା ଗ୍ରାମ କିମ୍ବା ଗ୍ରାମାଂଚଳ, ୱାର୍ଡ ଅଥବା ସହରାଂଚଳର ସୂଚନା ରହିଥାଏ । ପ୍ରଥମ ଥର ପାଇଁ ୨୦୧୦ରେ ଏନପିଆର ପ୍ରସ୍ତୁତ କରାଯାଇଥିଲା ଏବଂ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା । ନାଗରିକତା ଆଇନ ୧୯୫୫ ଅନ୍ତର୍ଗତ ପ୍ରସ୍ତୁତ ହୋଇଥିବା ନାଗରିକତା ନିୟମ, ୨୦୦୩ (ନାଗରିକ ପଞ୍ଜିକରଣ ଏବଂ ଜାତୀୟ ପରିଚୟ ପତ୍ର ଜାରି କରିବା)ର ଧାରା -୩ ଅଧୀନ ଉପଧାରା(୪) ଅନୁଯାୟୀ କେନ୍ଦ୍ର ସରକାର ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ଏବଂ ସଂଶୋଧନ କରିବା ଲାଗି ନିଷ୍ପତି ନେଇଛନ୍ତି । ଆସାମକୁ ବାଦ ଦେଇ ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରାଯିବ । ଏଥିରେ ସବୁ ଲୋକଙ୍କଠାରୁ ସେମାନେ ରହୁଥିବା ଗାଁ ଓ ସହରାଂଚଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏନପିଆର ସଂଶୋଧନ ସମୟରେ ବାଧ୍ୟତାମୂଳକ ଭାବେ ଦସ୍ତାବିଜ ସଂଗ୍ରହ କରାଯିବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ରାୟ କହିଥିଲେ ଯେ, ପ୍ରତ୍ୟେକ ପରିବାର ଓ ବ୍ୟକ୍ତି ବିଶେଷଙ୍କ ଜନସାଂକ୍ଷିକ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ ତଥା ସଂଶୋଧିତ କରାଯିବ । ଏହି କାର୍ଯ୍ୟ ସମୟରେ କୌଣସି ଦସ୍ତାବିଜ ମଗାଯିବ ନାହିଁ, ସ୍ୱେଚ୍ଛାକୃତ ଭାବେ ଆଧାର ସଂଖ୍ୟା ସଂଗ୍ରହ କରାଯିବ । ଆହୁରି ଏହି କାର୍ଯ୍ୟ ସମୟରେ ଯେଉଁ ନାଗରିକଙ୍କ ନାଗରିକତା ସଂକ୍ରାନ୍ତରେ ସନ୍ଦେହ ସୃଷ୍ଟି ହେବ, ସେମାନଙ୍କର କୌଣସି ଯାଂଚ କରାଯିବ ନାହିଁ । ସୂଚନାଦାତାମାନେ ସେମାନଙ୍କ ନିଜସ୍ୱ ଜ୍ଞାନ ଓ ବିଶ୍ୱାସ ଆଧାରରେ ଏନପିଆର ସଂଶୋଧନ ପାଇଁ ସୂଚନା ଦେଇପାରିବେ । ଏନପିଆର ପ୍ରସ୍ତୁତି ସଂକ୍ରାନ୍ତରେ ରହିଥିବା ସମସ୍ୟା ଓ ଚିନ୍ତା ଦୂର କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ