ଧନୁଆଁ ନଦୀ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଦେଇ ପ୍ରବାହିତ ଧନୁଆଁ ନଦୀ ରେ ବନ୍ୟାଜଳ ବୃଦ୍ଧି ପାଇ ନଦୀ ତଟବର୍ତ୍ତି ଗାଁ ଗୁଡ଼ିକ ରେ ପ୍ରବେଶ କରିବାରେ ଲାଗିଛି। ଅଚ୍ୟୁତପୁର ଠାରେ ଥିବା କାଜ ଦେଇ କୁଶଭଦ୍ରା ର ବନ୍ୟାଜଳ ଧନୁଆଁ ରେ ପ୍ରବେଶ କରିବାରୁ ନଦୀ ତଟବର୍ତ୍ତି ଅଞ୍ଚଳ ରେ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି। ବନ୍ୟା ଜଳ ଧନୁଆଁ ଓ ଡେଣୁଅଁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ଶହ ଶହ ଏକର ଚାଷଜମି ରେ ମାଡ଼ି ଚାଲିଛି। ଫଳରେ ଏହି ଅଞ୍ଚଳ ର ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। କିଛି ଦିନ ପୂର୍ବେ ଚାଷୀ ମାନେ ବିଲରେ ରୁଆ ବେଉଷଣ କାର୍ଯ୍ୟ କରିଥିଲେ। ଏବେ ଧାନ କିଆରୀ ରେ ଆଣ୍ଠୁଏ ଉଚ୍ଚ ରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଣୁ ରୁଆ ହୋଇଥିବା ଧାନ ତଳି ସବୁ ପଚି ନଷ୍ଟ ହେବା ଆଶଙ୍କା ରହିଛି। ସେହିପରି ଚାଷୀ ମାନେ ବିଲରେ ପୋଟଳ, ବାଇଗଣ, ଭେଣ୍ଡି, ଜହ୍ନି, ସାରୁ, କଲରା, ଝୁଡୁଙ୍ଗ ପ୍ରଭୁତି ପରିବା ଚାଷ କରିଥିଲେ। ଠିକ୍ ପନିପରିବା ଅମଳ ବେଳକୁ ଦାଉ ସାଧିଛି ବନ୍ୟା। ପନିପରିବା କିଆରୀ ରେ ଏବେ ୪/୫ ଫୁଟ ଉଚ୍ଚତା ରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଣୁ ସମସ୍ତ ପନିପରିବା ଚାଷ ନଷ୍ଟ ହେବା ନିଶ୍ଚିତ ହୋଇପଡ଼ିଛି। ଚାଷ ନଷ୍ଟ ହେବା କାରଣରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତୁରନ୍ତ ବ୍ଲକ ପ୍ରଶାସନ ଓ କୃଷି ବିଭାଗ ଘଟଣା ର ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଓ ରିହାତି ଦରରେ ବିହନ,କୀଟନାଶକ ଔଷଧ, ସାର ପ୍ରଭୁତି ଯୋଗାଇଦେବାକୁ ସି ପି ଆଇ ନେତା କୃଷ୍ଣ ଚନ୍ଦ୍ର ରାଉତ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ