ଧନୁ ସଂକ୍ରାନ୍ତି ଓ ଶ୍ରୀ ମନ୍ଦିରରେ ପହିଲି ଭୋଗ ଲାଗି
ସନ୍ତୋଷ କୁମାର ଦାଶ
ଆମ ଓଡିଆଙ୍କ ଘରେ ବାର ମାସରେ ତେର ପର୍ବ ପର୍ବାଣୀ ପାଳନ କରାଯାଏ। ତା ମଧ୍ୟରୁ ପୌଷ ମାସ ର ଧନୁ ସଂକ୍ରାନ୍ତି ଅନ୍ୟତମ।ଏହି ଦିନ ଓଡ଼ିଶା ର ପ୍ରାୟ ପ୍ରତ୍ୟେକ ଗ୍ରାମ ରେ ଥିବା ଦେବ ଦେବୀ ପୀଠ ମାନଙ୍କ ରେ ଧନୁ ମୁଆଁ ଭୋଗ ଲାଗି କରା ଯାଇଥାଏ। ପୁରୀ ଶ୍ରୀ ମନ୍ଦିର ରେ ଶ୍ରୀ ଜିୟୁ ମାନଙ୍କୁ ମଧ୍ୟ ଧନୁ ମୁଆଁ ଭୋଗ ଲାଗି କରାଯାଇଥାଏ। ଏହି ଦିନ ଠାରୁ ମକର ସଂକ୍ରାନ୍ତି ଏକ ମାସ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ରେ ପହିଲି ଭୋଗ ନାମ ରେ ଏକ ବିଶେଷ ନିତି ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଆମ ଓଡ଼ିଆ ଘରେ ଏକ ପରମ୍ପରା ରହି ଆସିଛି ଯେ, ପୌଷ ମାସ ରେ ଗୃହ ର ଘରଣୀ ଏହି ମାସ ରେ ନିଜ ବାପଘର କୁ ଯାଇଥାନ୍ତି। ସେହିପରି ଭାବରେ ଶ୍ରୀ ମନ୍ଦିର ର କର୍ତ୍ତି ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ଛାଡ଼ି ନିଜ ବାପ ଘର କୁ ବୁଲିବାକୁ ଯାଇଥାନ୍ତି।ଏହି
ସମୟ ରେ ଶ୍ରୀ ଜିୟୁ ମାନଙ୍କ ପାଇଁ ମା ଯଶୋଦା ଭୋଜନ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଦିନ ଭୋର ସମୟରେ କାଉ କା କା ଡାକିବା ପୂର୍ବରୁ ଶ୍ରୀ ଜିୟୁ ମାନଙ୍କୁ ଗୋପାଳ ବଲ୍ଲଭ ଭୋଗ ସହିତ ଏକ ଭୋଗ ଲାଗି ହୋଇଥାଏ। ତାହାକୁ ପହିଲି ଭୋଗ ବୋଲି କୁହାଯାଏ। ଏହି ଭୋଗ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲାଗି ହୋଇଥାଏ। ଏଥିପାଇଁ ରାତ୍ର ଦୁଇ ଘଡି ଥାଇଁ ଶ୍ରୀ ମନ୍ଦିର ର ଦ୍ଵାର ଫିଟା, ଆଳତୀ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥାଏ। ତା ପରେ ଶ୍ରୀ ଜିୟୁ ମାନଙ୍କୁ ଘୋଡ଼ ଲାଗି ହୋଇ ବେଶ ଅନୁଷ୍ଠିତ ହୋଇଥାଏ। ତତ୍ପରେ ଭିତର ବାହାର ଶୋଧ ହୋଇ ଅଣସର ପିଣ୍ଡି ଠାରେ ବଲ୍ଲଭ ଭୋଗ ବଢ଼ା ଯାଇଥାଏ। ଅହ୍ମୁଣିଆ ପାଣି ପଡ଼ିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ। ଏହି ଭୋଗ ରେ ବିରି ଓ ଗହମ ରେ ଘୃତ ପାକ ହୋଇଥିବା ପିଠା ମାନ ଅଣାଯାଇ ପଞ୍ଚୋପଚାର ରେ ପୂଜା କରାଯାଇଥାଏ। ପହିଲି ଭୋଗ ରେ ବଡ଼ଝିଲ୍ଲି,ଦରସୁଆ ବଡ଼ି,ଦରସୁଆ ଝିଲି, ବଡ଼ ବଡା, କାକରା,ସାନ ଅମାଲୁ, ନଳୀ, ଆରିସା, ମୁଗେଇ, ଏଣ୍ଡୁରି, ନଡୁ, ଗଜା, ଖଇର ଚୂଳ, ମଣ୍ଡା, ଚୁଡ଼ା ପୁଆ, ବଡ଼ି, କଣ୍ଟେଇ, ଛତୁ, ଚଢ଼େଇ ନେଦା, ଗଇଁଠା ପ୍ରଭୃତି ୩୨ ପ୍ରକାରର ପିଠା ଲାଗି ହେବାର ପରମ୍ପରା ରହିଛି। ପହିଲି ଭୋଗ ନୀତି ସମୟ ରେ ଜୟ ବିଜୟ ଦ୍ଵାର ବନ୍ଦ ରହିଥିବା ବେଳେ କୌଣସି ବାଜା ବାଜି ନ ଥାଏ। ପହିଲି ଭୋଗ ଲାଗି ପରମ୍ପରା ପ୍ରଭୁ ଶ୍ରୀ କୃଷ୍ଣ ଓ ମା ଯଶୋଦା ଙ୍କ ବାତ୍ସଲ୍ୟ ଲୀଳା ର ସ୍ମାରକୀ ହୋଇ ରହି ଆସିଛି କାହିଁ କେତେ କାଳରୁ। ପ୍ରାୟ ୧୬ ଶ ଶତାବ୍ଦୀ ରୁ ଶ୍ରୀ ମନ୍ଦିର ରେ ପହିଲି ଭୋଗ ଲାଗି ପରମ୍ପରା ରହି ଆସିଛି ବୋଲି ଗବେଷକ ମାନେ ସୂଚନା ଦେଇଛନ୍ତି। ଧନୁ ସଂକ୍ରାନ୍ତି ଦିନ ଶ୍ରୀ ଜିୟୁ ମାନଙ୍କୁ ଧନୁ ମୁଆଁ ଲାଗି ହେଉଥିବା ବେଳେ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ଲାଗି ହୋଇଥାଏ। ପହିଲି ଭୋଗ ନୀତି ଶ୍ରୀ ମନ୍ଦିର ରେ ଏକ ଅନନ୍ୟ ପରମ୍ପରା ଭାବେ ପାଳିତ ହୋଇ ଆସୁଛି କାହିଁ କେତେ କାଳରୁ। ଜୟ ଜଗନ୍ନାଥ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


