ଧରାବତରଣ କଲେ ଦେବଶିଳ୍ପୀ ବିଶ୍ୱକର୍ମା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ସହର ବରାହୀ ପାହାଡ ପାଦଦେଶରେ ପ୍ରତିଷ୍ଠିତ ସର୍ବପୁରାତନ ବିଶ୍ୱକର୍ମା ମନ୍ଦିରରେ ବଢେଇକୂଳ ପକ୍ଷରୁ ଶନିବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ରୀତିନୀତି ଅନୁଯାୟୀ ଯଜ୍ଞୋପବିତ ଧାରଣ ଓ ପୁର୍ଣ୍ଣାହୁତି ପୂଜାର୍ଚ୍ଚନା ସଂପନ୍ନ ହୋଇଥିଲା । ବଢେଇକୂଳ ପକ୍ଷରୁ ଶ୍ରୀ ବିଗ୍ରହଙ୍କୁ ପ୍ରସାଦ ଯାଚନା କରି କୃପାଭିକ୍ଷା କାମନା କରିଥିଲେ । ସେହିପରି ସ୍ଥାନୀୟ ବ୍ଳକ କଞ୍ଚୁରୁ ପଞ୍ଚାୟତ ଶ୍ରଦ୍ଧାପୁର ଠାରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ନୂତନ କୂଳ ଗୃହ ଠାରେ ଦେବଶିଳ୍ପୀଙ୍କ ମୃଣୟ ପ୍ରତିମାକୁ ପୂଜାର୍ଚ୍ଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ପୂର୍ବଖଣ୍ଡ ତାଲୁକାର ବିଭିନ୍ନ ଗ୍ରାମରେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବରଧାରୀ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀଙ୍କୁ ପ୍ରଂଶସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କୂଳ ସଦସ୍ୟଙ୍କ ଉପସ୍ଥିତିରେ ନୂତନ କୋଠଘରକୁ ସଭାପତି ସନ୍ତୋଷ ମହାରଣା ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବଖଣ୍ଡ ତାଲୁକା ବଢେଇ କୂଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଅନୁରୂପ ଭାବେ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଜନସ୍ୱାସ୍ଥ୍ୟ ବିଭାଗ, ଜଳ ଓ ପରିମଳ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳସମ୍ପଦ, ପୌର, ବ୍ଳକ, ରାସ୍ତା ଓ କୋଠାବାଡି ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଯାନ୍ତ୍ରିକ ଅନୁଷ୍ଠାନରେ ମହାସମାରୋହରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି ।