ନବଗଠିତ ବାଲେଶ୍ୱର ଡମ୍ପର ମାଲିକ ମହାସଂଘର ପ୍ରଥମ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ନବଗଠିତ ବାଲେଶ୍ୱର ଜିଲା ଡମ୍ପର ମାଲିକ ମହାସଂଘର ପ୍ରଥମ ବୈଠକ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଡମ୍ପର ମହାସଂଘର ସଭାପତି କାର୍ତ୍ତିକ ଚନ୍ଦ୍ର ପ୍ରଧାନ ଏଥିରେ ପୌରୋହିତ୍ୟ କରିବା ସହ ଯାଞ୍ଚ ଆଳରେ ଡମ୍ପର ମାଲିକଙ୍କ ପ୍ରତି ବୃଦ୍ଧି ପାଇଥିବା ପ୍ରଶାସନର ଜୁଲମ ସମ୍ପର୍କରେ ସୂଚନା ଦେଇଥିଲେ । ମହାସଂଘର ଉପଦେଷ୍ଟା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଡମ୍ପର ମାଲିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନର ଦିଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଲଘୁ ଖଣିଜ ଦ୍ରବ୍ୟ ପରିବହନରେ ଆବଶ୍ୟକ କେ’ଫର୍ମର ସ୍ୱଚ୍ଛତାକୁ ନେଇ ଉଠିଥିବା ବିବାଦ ଓ ଏହାର ଯାଞ୍ଚ ଆଳରେ ଗାଡ଼ିକୁ ଦୀର୍ଘ ସମୟ ଅଟକି ରଖିବା ପ୍ରସଙ୍ଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜିଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ, ଯୁବନେତା ସନ୍ତୋଷ ଖଟୁଆଙ୍କ ସମେତ ସଂଗଠନର ଉପ-ସଭାପତି ଶିଶିର କୁମାର ରାଉତ, ସମ୍ପାଦକ ପ୍ରଣବ କୁମାର ଗୋସ୍ୱାମୀ ଓ କୋଷାଧକ୍ଷ ସୁଧାସିନ୍ଧୁ ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ଡମ୍ପର ମାଲିକଙ୍କ ପ୍ରତି କରାଯାଉଥିବା ଅବିଚାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କେ’ ଫର୍ମ ଯାଞ୍ଚ ଆଳରେ ଗାଡ଼ିକୁ ଦୀର୍ଘ ଘଣ୍ଟା ଅଟକ ରଖିବା, ଗାଡ଼ି ଓ ପରିବହନ ହେଉଥିବା ଲଘୁ ଖଣିଜ ସାମଗ୍ରୀର କାଗଜପତ୍ର ଠିଖ ଥାଇ ମିଥ୍ୟା ମାମଲା ରୁଜୁ କରାଯିବା ଏବଂ ମନଇଚ୍ଛା ଜରିମାନା ଆଦାୟ କରାଯିବା ଆଦି ପ୍ରଶାସନର ବେଆଇନ କାର୍ଯ୍ୟ ଯୋଗୁଁ ଡମ୍ପର ମାଲିକମାନେ ନିୟମିତ କ୍ଷତି ସହି ଚାଲିଛନ୍ତି ବୋଲି ସେମାନେ କହିଥିଲେ । ତେବେ ଉଲ୍ଲେଖନୀୟ ବିଷୟ ହେଲା ଯାଜପୁର ଜିଲାର ବୈତରଣୀ ନଦୀ ସଇରାତରୁ ବାଲି ନେଇ କେ’ ଫର୍ମ ସହ ଡମ୍ପର ବାଲେଶ୍ୱର ଜିଲାକୁ ନିୟମିତ ଆସୁଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ନିୟମିତ ଦିନରାତି ଡମ୍ପର ଅଟକାଇ ଯାଞ୍ଚ କରାଯାଉଛି । ତେବେ ଯାଜପୁର ଓ ଭଦ୍ରକ ଜିଲାର ରାଜସ୍ୱ ଅଧିକାରୀମାନେ ଯାଞ୍ଚ ସହ ଯେଉଁ କେ’ ଫର୍ମକୁ ଠିକ ଥିବା ଦର୍ଶାଉଛନ୍ତି ଓ ଗାଡ଼ିକୁ ଛାଡ଼ି ଦେଉଛନ୍ତି, ସେହି କେ ଫର୍ମକୁ ବାଲେଶ୍ୱର ଜିଲାର ରାଜସ୍ୱ ଅଧକାରୀମାନେ କେମିତି ଜାଲ ବୋଲି କହୁଛନ୍ତି ସଂଗଠନର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଚାଲିଥିବା ବେଳେ ଠିକାଦାରମାନେ ଜିଲ୍ଲା ବାହାରୁ ଡମ୍ପର ଆଣି କାମରେ ଲଗାଉଛନ୍ତି । ଏସବୁ ବନ୍ଦ କରି ଜିଲ୍ଳାର ଡମ୍ପରଗୁଡିକୁ କାମ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏଥି ସହିତ ବେଆଇନ ଯାଞ୍ଚରୁ ପ୍ରଶାସନ ନିବୃତ ନହେଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରିବା ପାଇଁ କର୍ମକର୍ତ୍ତାମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଏହି ବୈଠକରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଡମ୍ପର ମାଲିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ