ନବଯୌବନ ଦର୍ଶନ କରି ଭକ୍ତ ବିଭୋର

ବାଲେଶ୍ୱର : ରେମୁଣା ବାଲଗୋପାଲପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ଠାରୁ ଜ୍ୱରରେ ପଡ଼ି ଅଣସରପିଣ୍ଡରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି । ଶ୍ରୀକ୍ଷେତ୍ର ରୀତିନୀତି ଅନୁଯାୟୀ ୧୫ଦିନ ଧରି ନାନାଦି ଗୁପ୍ତସେବା ଓ ଔଷଧୀୟ ଉପଚାର ପରେ ଆଜି ହଜାର ହଜାର ସମବେତ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କୁ ୧୫ଦିନ ଧରି ଦେଖିନଥିବା ଭକ୍ତମାନଙ୍କ ମଧ୍ୟରେ ଆଜି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏତେଦିନପରେ ମହାପ୍ରଭୁଙ୍କୁ ଦେଖି ହଜାର ହଜାର ଭକ୍ତ ଭାବବିହ୍ୱଳ ହୋଇ କାନ୍ଦିପକାଇଥିଲେ । ଅନୁରୂପଭାବେ ମହାପ୍ରଭୁବି ଭକ୍ତଙ୍କ ମନବୁଝି ଆଶୀଷ ଢାଳିଦେଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମକୁ ଇମାମୀ ନଗର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପୃଷ୍ଠପୋଷକ ତଥା ଇମାମୀ ଗ୍ରୁପ୍ର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଗୋୟେଙ୍କା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତତ୍ତ୍ୱାବଧାନ କରୁଥିବା ବେଳେ ଅତ୍ୟାଧୁନିକ ଆଲୋକ ଓ ପୁଷ୍ପସଜ୍ଜା ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶଙ୍ଖହୁଳହୁଳି, କରତାଳି, ମୃଦଙ୍ଗ ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଇମାମୀ ନଗର । ସେହିପରି ଆଜି (୪ ତାରିଖ)ରେ ସମସ୍ତ ରୀତିନୀତି ସାଙ୍ଗକୁ ୧୦ଟା୩୧ମି.ରେ ପହଣ୍ଡିବିଜେ, ଅପରାହ୍ନ ୨ଘଟିକା ୧୭ମିନିଟ୍ରେ ଛେରାପହଁରା, ୪ଘଟିକା ୧୦ମିନିଟ୍ରେ ରଥଟଣା ଅନୁଷ୍ଠିତ ହେବା ସଂପର୍କରେ ମନ୍ଦିର ପ୍ରଶାସନପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସେମାନଙ୍କ ସୁରକ୍ଷା ନିମନ୍ତେ ସିସିଟିଭି କ୍ୟାମେରା, ସ୍ୱାସ୍ଥ୍ୟସେବା, ଜଳସିଞ୍ଚନ, ପାନୀୟଜଳ, ପ୍ରସାଦସେବନ ତଥା ଜିଲ୍ଲା ପ୍ରଶାସନ ଓ ରେମୁଣା ପୋଲିସ୍ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ