ନାଉଗାଁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନଲାଇନ ବ୍ୟବସ୍ଥା କେବେ?
ନାଉଗାଁ, (ଓ୍ବାଇଏନ୍ଏସ୍):ସରକାର ଜନସାଧାରଣମାନଙ୍କୁ ସହଜରେ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯିବା ପାଇଁ ସରକାର ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବରୁ ଅଧିକାଂଶ କାର୍ଯ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଥିବା ଦେଖାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଧିନ ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ । ନାଉଗାଁ ତହସିଲ ଅଧିନସ୍ଥ ୧୬ଟି ପଂଚାୟତରେ ଡେରିକି, ଶିଖର, ନାଉଗାଁ, ନୁଆପାରୀ ଓ ଜାମୁଗାଁ ଆଦି ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ମାଧ୍ୟମରେ ଜନସାଧାରଣଙ୍କର ବିଭିନ୍ନ ଜମିଜମା,ପ୍ରମାଣପତ୍ର ସମ୍ବଦ୍ଧୀୟ କାର୍ଯ୍ୟ କରାଯାଉଛି । କିନ୍ତୁ ଜନସାଧାରଣ ନିଜର ଆବଶ୍ୟକ ପ୍ରମାଣପତ୍ର ପାଇବା ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥାନ୍ତି । ଏହି ଆବେଦନର ଅନୁସନ୍ଧାନ ରିପୋର୍ଟ ପାଇଁ ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ପଠାଯାଇଥାଏ । ଉକ୍ତ ଆବେଦନ ପତ୍ରର ଅନୁସନ୍ଧାନ ରିପୋର୍ଟ ଅନଲାଇନ ମାଧ୍ୟମରେ ଭେରିଫିକେସନ କରାଯାଇ ରିପୋର୍ଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏ ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଅନଲାଇନ ବ୍ୟବସ୍ଥା ନଥିବାରୁ ଆବେଦନ ପତ୍ର ଗୁଡିକ କାଗଜପତ୍ରରେ କରାଯାଉଛି । ଯାହାଫଳରେ ଜନସାଧାରଣମାନେ ପ୍ରମାଣ ପତ୍ର ପାଇବାରେ ବହୁତ ବିଳମ୍ବ ହେଉଥିବା ବେଳେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ବିଶେଷକରୀ ଦାଖଲଖାରଜ(ମ୍ୟୁଟେସନ) ମାମଲାରେ ଦେଖିବାକୁ ମିଳୁଛି । ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଜମି କିଣା ବିକା ପରେ ଦାଖଲ ଖାରଜ ପାଇଁ ଅନଲାଇନ ମାଧ୍ୟମରେ ସିଧାସଳଖ ରାଜସ୍ୱ ନିରୀକ୍ଷକଙ୍କ ନିକଟକୁ ନୋଟିସ କରିବା ପାଇଁ ଆସିଥାଏ । କିନ୍ତୁ ଉକ୍ତ କାର୍ଯ୍ୟାଳୟରେ ଅନଲାଇନ ବ୍ୟବସ୍ଥା ନଥିବାରୁ ରାଜସ୍ୱ ନିରୀକ୍ଷକମାନେ ତହସିଲ କାର୍ଯ୍ୟାଳୟରୁ ନୋଟିସ ଗ୍ରହଣ କରିଥାନ୍ତି । ଏହା ଯୋଗୁ କମି କ୍ରେତା ଓ ବିକ୍ରେତାଙ୍କୁ ନୋଟିସ ଦେବାରେ ବିଳମ୍ବ ହେଉଥିବା ସେମାନେ କହିଛନ୍ତି । ଅନ୍ୟପଟରେ ଉକ୍ତ କାର୍ଯ୍ୟାଳୟ ଗୁିଡିକରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ସାରଂଜମା ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯାହାଫଳରେ କାର୍ଯ୍ୟାଳୟର କର୍ମଚାରୀମାନେ ଖରା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଉକ୍ତ କାର୍ଯ୍ୟାଳୟ ଗୁଡିକରେ ଖୁବ ଶିଘ୍ର ବିଦ୍ୟୁତ ସଂଯୋଗ କରାଯିବା ପାଇଁ ବିଦ୍ୟୁତ ବିଭାଗ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।