ନାଉଗାଁ ତହସିଲର ଅବସ୍ଥା , ଫାଙ୍କା ପଡିଛି ପଦବୀ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ): ସରକାରଙ୍କର ବିଭିନ୍ନ ରାଜସ୍ୱ ଆଦାୟ ସହିତ ଜନସାଧାରଣମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ତହସିଲ ଗଠନ ହୋଇଛି । ଏଥିରେ କାର୍ଯ୍ୟ କରିବା ପାଇଁ ତହସିଲଦାରଙ୍କ ସହିତ ନିଯୁକ୍ତି ପାଇଛନ୍ତି ଅନେକ କର୍ମଚାରୀ । ତହସିଲଦାରକୁ ସହଯୋଗ କରିବା ପାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲାଯାଇଛି । ଏହି କର୍ଯ୍ୟାଳୟରେ କାର୍ଯ୍ୟ କରିବା ପାଇଁ ରାଜସ୍ୱ ନିରୀକ୍ଷକ ସହିତ ସହ-ରାଜସ୍ୱ ନିରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଦ୍ୱାରା ତହସିଲ ଅଧିନରେ ଥିବା ବିଭିନ୍ନ ରାଜସ୍ୱ ଆଦାୟ କାର୍ଯ୍ୟ ସଠିକ ସମୟରେ କରାଯାଇ ସରକାରଙ୍କ ନିକଟରେ ପୈଠ କରାଯିବା ସହିତ ଜନସାଧାରଣମାନଙ୍କର ଆବଶ୍ୟକ ଥିବା ଗୁରୁ୍ତ୍ୱପ୍ରୁ୍ଣ୍ଣ କାର୍ଯ୍ୟ ଠିକ ସମୟରେ କାର୍ଯ୍ୟକାରୀ ହୋଇପାରିବ । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସଲି ଅଧିନରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିବା ବେଳେ ରାଜସ୍ୱ ନିରୀକ୍ଷକ, ସହ ରାଜସ୍ୱ ନିରୀକ୍ଷକ ଓ ଅମିନ ପଦବୀ ଗୁଡିକ ଫାଙ୍କ ଥିବାରୁ ଜନସଧାରଣମାନେ ବିଭିନ୍ନ ସେବା ପାଇବାରୁ ବଂଚିତ ହେଉଥିବା ବେଳେ ସରକାରଙ୍କ ରାଜସ୍ୱ ଆଦାୟରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନାଉଗାଁ ତହସିଲ ଅଧିନ ୧୬ଟି ପଂଚାୟତରେ ଡେରିକି, ଶିଖର, ନାଉଗାଁ, ନୁଆପାରୀ ଓ ଜାମୁଗାଁ ଆଦି ୫ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ସମସ୍ତ କାର୍ଯ୍ୟାଳୟ ଅଧିନରେ ୯୦ଟି ରାଜସ୍ୱ ଗ୍ରାମ ରହିଛି । ପ୍ରତ୍ୟେକ କାର୍ଯ୍ୟାଳୟରେ ଜଣେ ରାଜସ୍ୱ ନିରୀକ୍ଷକ ଓ ଜଣେ ସହ ରାଜସ୍ୱ ନିରୀକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ରହିଛି । କିନ୍ତୁ ନାଉଗାଁ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଭାବେ ସୁରେନ୍ଦ୍ର କୁମାର ନାୟକ ନିଯୁକ୍ତ ଥିବା ବେଳେ ନୁଆପାରୀ କାର୍ଯ୍ୟାଳୟରେ ବିଶ୍ୱଭୂଷଣ ମହାପାତ୍ର କାର୍ଯର୍୍ୟ କରୁଛନ୍ତି । ଅନ୍ୟ ତିନୋଟି କାର୍ଯ୍ୟାଳୟରେ କୌଣସି ରାଜସ୍ୱ ନିରୀକ୍ଷକ ନଥିବା ହେତୁ ନାଉଗାଁ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର କୁମାର ନାୟକ ଅତିତିକ୍ତ ଦାୟିତ୍ୱ ଭାବେ ଶିଖର ଓ ଡେରିକି କାର୍ଯ୍ୟାଳୟ ତୁଲାଉଛନ୍ତି । ସେହିପରି ବିଶ୍ୱଭୂଷଣ ମହାପାତ୍ର ନୁଆପରୀ ସହିତ ଜାମୁଗାଁର ଦାୟିତ୍ୱ ନେଇଛନ୍ତି । କିନ୍ତୁ ଏହି ସମସ୍ତ କାର୍ଯ୍ୟାଳୟରେ ସହ-ରାଜସ୍ୱ ନିରୀକ୍ଷକ ନିଯୁକ୍ତି ପାଇଁ ବ୍ୟବସ୍ଥା ଥିବା ବେଳେ ଦିର୍ଘ ଦିନ ହେବ ଫାଙ୍କା ପଡିଛି । ଯାହାଫଳରେ ଜନସାଧାରଣମାନେ ନିଜର ପ୍ରମାଣ ପତ୍ର ପାଇବା ପାଇଁ ନିଜ ସର୍କଲ ଅଧିନ ରାଜସ୍ୱ କାର୍ଯ୍ୟାଳୟକୁ ଆସି ନିରୀକ୍ଷକଙ୍କୁ ନପାଇ ନିରାଶ ହୋଇ ଫେରୁଛନ୍ତି । ଫଳରେ ସେମାନେ ଅନେକ ଥର କାର୍ଯ୍ୟାଳୟକୁ ଆସି ଅଧିକ ଖର୍ଚ୍ଚାନ୍ତ ହେଉଥିବା ବେଳେ ପ୍ରମାଣ ପତ୍ର ପାଇବାରେ ବିଳମ୍ବ ହେଉଛି । ବିଶେଷକରି ଏବେ ସ୍ୱୁଲ କଲେଜରେ ନାମଲେଖା ପକ୍ରିୟା ଚାଲୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଜାତିଗତ, ବାସସ୍ଥାନ ଓ ଆୟ ପ୍ରମାଣପତ୍ର ଦରକାର ପଡୁଛି । ସେମାନଙ୍କୁ ଉକ୍ତ ପ୍ରମାଣ ପତ୍ର ପାଇବାରେ ବିଳମ୍ବ ହେତୁ ବିଭିନ୍ନ ସମସ୍ୟାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେହିପରି ଦାଖଲ ଖାରଜ ମାମଲାରେ ଅଧିକ ସମସ୍ୟା ଦେଖାଯାଉଥିବା ଅଭିଯୋଗ ହେଉଛି । ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ଜମି କିଣାବିକା ପରେ ଦାଖଲ ଖାରଜ ପାଇଁ ଅନଲାଇନ ମାଧ୍ୟମରେ ସିଧାସଳଖ ଭାବେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଆସୁଛି । ଏହି ମାମଲାର ଫଏସଲା ପାଇଁ ରାଜସ୍ୱ ନିରୀକ୍ଷକ ଜମିର କ୍ରେତା ଓ ବିକ୍ରେତାଙ୍କୁ ନୋଟିସ କରିବା ସହିତ ନୋଟିସରେ ଦର୍ଶାଯାଇଥିବା ନିର୍ଦ୍ଧିଷ୍ଟ ତାରିଖରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହିତ ସବରେଜିଷ୍ଟରରେ କରାଯାଇଥିବା କବଲାକୁ ଦେଖାଇବାର ନିୟମ ରହିଛି । କିନ୍ତୁ ରାଜସ୍ୱ ନିରୀକ୍ଷକ ସଠିକ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଜନସାଧାରଣମାନେ କାର୍ଯ୍ୟାଳୟକୁ ଆସି ଫେରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦାଖଲ ଖାରଜ ସହିତ ଜମିଜମା ସମ୍ବଦ୍ଧୀୟ ମାମଲା ଗୁଡିକ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଫଇସଲା ହେଲା ପରେ ତହସିଲ କାର୍ଯ୍ୟାଳୟକୁ ଯାଇଥାଏ । ସେଠାରେ ଅମିନଙ୍କ ଦ୍ୱାରା ଏହାକୁ ତାମିଲ କରାଯାଇଥାଏ । କିନ୍ତୁ ତହସିଲରେ ୩ଜଣ ଅମିନଙ୍କ ପଦବୀ ରହିଥିବା କୌଣସି ଅମିନ ନଥିବାରୁ ଉକ୍ତ ତାମିଲ କାର୍ଯ୍ୟ ହୋଇପାରୁନାହିଁ । ଯାହାଫଳରେ ଜନସାଧାରଣମାନେ ସେମାନଙ୍କର ଜମିପଟ୍ଟା ପାଇବାରେ ବିଳମ୍ବ ହେଉଛି । ଏପରିକି ସରକାରୀ ବା ବେସରକାରୀ ଜମିର ସୀମାନିର୍ଦ୍ଧାରଣ ପାଇଁ ଅମିନ ଆବଶ୍ୟକ ପଡିଲେ ମଧ୍ୟ ତାହା ହୋଇପାରୁନାହିଁ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦବୀ ପୁରଣ କରିବାକୁ ବୁଦ୍ଧିଜୀବଙ୍କ ସମେତ ବିଭିନ୍ନ ଅବୁଷ୍ଠାନ ପକ୍ଷରୁ ଦାବି କରାଯାଇଛି ।