ନାଉଗାଁ ପଂଚାୟତ ସମିତିର ୯ମ ଅଧିବେଶନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ୯ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ବ୍ଳକ ଉପାଧ୍ୟକ୍ଷା ମାମିନା ଦଳାଇ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ବିଡିଓ ରଶ୍ମିରେଖା ମଲ୍ଲିକ,ତହସିଲଦାର ଜେ. କଳ୍ପନା,ଜିପିଓ ଦିନେଶ ରାୟଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ପଂଚାୟତର ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଯୋଗାଣ ବିଭାଗ ପକ୍ଷରୁ ତାଲିକା ପ୍ରଦାନ କରାଯାଉ ନଥିବା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଖାଉଟି ସାମଗ୍ରୀ ପ୍ରତି ୩ମାସକୁ ଥରେ ବଂଟନ କରାଯାଉଥିବା ବେଳେ କେତେ ଯୋଗାଣ ସାମଗ୍ରୀ ବଂଟନ କରାଯାଉଛି ଓ ଏଥିରେ କେତେ ହିତାଧିକାରୀ ଉପକୃତ ହେଉଛନ୍ତି ତାର ସର୍ବିଶେଷ ତଥ୍ୟ ୱବେସାଇଟରେ ଉପଲବ୍ଧ ରହିଛି ବୋଲି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମତବ୍ୟକ୍ତ କରିଥିଲେ । ପୂର୍ବରୁ ହୋଇଥିବା ଅଧିବେଶନରେ ଉନ୍ନୟନମୂଳକ କାର୍ଯ୍ୟରେ ସମର୍ଥିତ ସଭ୍ୟ ଓ ସରପଂଚଙ୍କ ମଧ୍ୟରେ ଭାଗ ବଂଟନ କରାଯିବା ପାଇଁ କୁହାଯାଇଥିଲା । ପରେ ଉକ୍ତ ଭାଗ ବଂଟାକୁ ଉପେକ୍ଷା କରାଯାଇଛି । ଫଳରେ କଂଗ୍ରେସ ଓ ବିଜେପି ସମର୍ଥିତ କିଛି ସମିତ ସଭ୍ୟ ଓ ସରପଂଚ ଆଲୋଚନା ମଧ୍ୟଭାଗରେ ଭାଗ ନ ନେଇ ଆଗରୁ ଦିଆଯାଇଥିବା ପ୍ରତିଶୃତିକୁ କାହିଁକି ପାଳନ କରାଯାଉ ନାହିଁ କହି ନିଜ ଆସନରୁ ଓହ୍ଳାଇ ତଳେ ବସି ରହିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା,ରୋହିଆ ସମିତି ସଭ୍ୟ ପଦ୍ମ ଚରଣ ରାଉତ, ସରପଂଚ ଶିବ ପ୍ରସାଦ ନାୟକ, ନୂଆଗାଁ ସଭ୍ୟ ଦୋଳ ଗୋବିନ୍ଦ ରାଉଳ ଇତ୍ୟାଦି । ପରେ ଅଧ୍ୟକ୍ଷଙ୍କ ପ୍ରତିଶୃତି ପରେ ତଳେ ବସିଥିବା ଆସନ ଗ୍ରହଣ କରିଥିଲେ । ସେହିପରି ବାଦାମ ବିହନରୁ ରୋହିଆ ପଂଚାୟତ ବାଦ ପଡିଥିବା ସମିତି ସଭ୍ୟ ପଦ୍ମ ଚରଣ ରାଉତ ଓ ସରପଂଚ ଶିବ ପ୍ରସାଦ ନାୟକ ଅଭିଯୋଗ କରିଥିଲେ । ସରକାରଙ୍କ ନିୟମାନୁସାରେ ଏହା ରୋଟେଶନ କରାଯାଇ ପ୍ରଦାନ କରାଯାଉ ଥିବାରୁ ବାଦାମ ବିହନ ଯେଉଁ ପଂଚାୟତରେ ପାଇ ନାହାନ୍ତି ରବି ଋତୁରେ ସେହି ପଂଚାୟତରେ ଅନ୍ୟାନ୍ୟ ମଂଜି ପ୍ରଦାନ କରାଯିବା ସହିତ କେଉଁ ବିହନ କେଉଁ ପଂଚାୟତକୁ ପ୍ରଦାନ କରାଯିବ ତାହାର ତାଲିକା ପ୍ରସ୍ତୁତ ପାଇଁ ସହକାରୀ କୃଷି ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଓଷକଣା ପଂଚାୟତର ଓଷକଣାରେ ଥିବା ଅଙ୍ଗନୱାର୍ଡ କେନ୍ଦ୍ରରେ ରୋଷେଇ ନ ହୋଇ କର୍ମୀଙ୍କ ଘରୁ ରୋଷେଇ ହୋଇ ଆସୁଥିବା ପଂଚାୟତର ସମିତି ସଭ୍ୟା ଜୟନ୍ତୀ ଭୋଇ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତି କରି ଯଥା ଶୀଘ୍ର ଏହାର ତଦନ୍ତ କରିବା ପାଇଁ ବିଧାୟକ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସମନ୍ୱିତ ଶିଶୁ ବିକାଶ, ଜଳ ସଂପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ ବିଭାଗ ଉପରେ ଆଲୋଚନା କରାଯାଇଥିଲା । ୨ ବର୍ଷ ତଳର ନିର୍ଦ୍ଦେଶାନାମା ଦିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିର୍ଦ୍ଦେଶାନାମାକୁ ବାତିଲ୍ କରାଯାଇ ନୂତନ ନିର୍ଦ୍ଦେଶାନାମା ପ୍ରଦାନ କରିବା,ଫନି ବାତ୍ୟାରେ ଘର ଭଙ୍ଗାରେ ହୋଇଥିବା ଅନିୟମିତତାକୁ ତଦାରଖ କରି ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବା, ପଂଚାୟତରେ ପଡି ରହିଥିବା ଆର୍ଥୀକ ଅନୁଦାନ ମାର୍ଚ୍ଚ ମାସ ମଧ୍ୟରେ ଖର୍ଚ୍ଚ କରିବା,ପଂଚାୟତରେ ଥିବା ସର୍ବନିମ୍ନ ୫ କିଲୋମିଟରରୁ ଉଦ୍ଦ୍ୱର୍ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା,ଗ୍ରାମ୍ୟ ଉନ୍ନୟନ ବିଭାଗରେ ଥିବା କେତେକ ରାସ୍ତାକୁ ପୂର୍ତ ବିଭାଗ ଅଧିନକୁ ପ୍ରଦାନ କରିବାକୁ ଯଥା ଶୀଘ୍ର ଯୋଜନା ପ୍ରସ୍ତୁତ କରି ଉନ୍ନୟନ କାର୍ଯ୍ୟକୁ ଆଗକୁ ନେବାକୁ ବିଧାୟକ ମତବ୍ୟକ୍ତ କରିଥିଲେ ।