ନାଉଗାଁ ବ୍ଳକରେ ୪୦ଟି ବିଦ୍ୟାଳୟ ବନ୍ଦ ଓ ମିଶ୍ରଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାନୁସାରେ ଯେଉଁ ବିଦ୍ୟାଳୟରେ ୨୦ରୁ କମ ପିଲାଙ୍କ ଉପସ୍ଥାନ ଥିବ, ସେହି ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯାଇ ନିକଟସ୍ଥ ଅଧିକ ଉପସ୍ଥାନ ଥିବା ବିଦ୍ୟାଳୟ ସହିତ ମିଶ୍ରଣ କରାଯିବ । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ୪୦ଟି ବିଦ୍ୟାଳୟକୁ ବନ୍ଦ ଓ ମିଶ୍ରଣ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକ କାହା ଦାୟିତ୍ୱରେ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନିକ ଅଧକାରୀଙ୍କ ଦାୟିତ୍ୱହିନତା ଯୋଗୁ ଅଧିକାଂଶ ବିଦ୍ୟାଳୟର ଗୃହ ଗୁଡିକ ଭଡା ସୂତ୍ରରେ ଲାଗିଥିବା ବେଳେ ଅନେକ ସୁରକ୍ଷା ଅଭାବରୁ ଭାଙ୍ଗିବାକୁ ବସିଲାଣି । ତେବେ ଯେଉଁ ବିଦ୍ୟାଳୟ ଗୁଡିକ ଭଡା ସୂତ୍ରରେ ଲାଗିଛି ଉକ୍ତ ବିଦ୍ୟାଳୟକୁ କିଏ ଭଡା ଲଗାଇଛି, ଭଡା କିଏ ଆଣୁଛି ତାହା ସ୍ପଷ୍ଟ ଜଣା ପଡୁନାହିଁ । ଉଦାହରଣ ସ୍ୱରୁପ ଦାନ୍ତୁଆଳ ପ୍ରାଥମିକ ବିଦ୍ୟାଳୟରେ ଧାନ ଗୋଦାମ ହୋଇଥିବା ବେଳେ ଅରିଓଦା,ଚାନ୍ଦପୁରା ପ୍ରାଥମିକ ବିଦ୍ୟାଳୟରେ ଠିକାଦାର ଓ ଶ୍ରମିକମାନେ ରହୁଥିବାର ଦେଖାଯାଇଛି । ଏପରିକି ଅନେକ ବନ୍ଦ ହୋଇ ପଡିରହିଥିବା ବିଦ୍ୟାଳୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇ ବ୍ୟବହାର ମଧ୍ୟ କରାଯାଉଛି । ବନ୍ଦ ହୋଇ ରହିଥିବା ବିଦ୍ୟାଳୟ ଗୁଡିକୁ ଯେଉଁମାନେ ବ୍ୟବହାର କରୁଛନ୍ତି ଯଦି କିଛି ଅସୁବିଧା ହୁଏ ସେଥିପାଇଁ ଦାୟୀ କିଏ ରହିବ? ଏବିଷୟରେ ବ୍ଳକ ପ୍ରଶାସନିକ ଅଧିକାରୀ ଓ ବ୍ଳକ ଶିକ୍ଷା ବିଭାଗ ଅଧୀକାରୀଙ୍କ କଥାରେ କୌଣସି ତାଳ ମେଳ ରହୁ ନଥିବା ଜଣାପଡିଛି । ଅପରପକ୍ଷେ ଯେଉଁ ସବୁ ବନ୍ଦ ବିଦ୍ୟାଳୟ ଗୁଡିକୁ ବେଆଇନ ଭାବେ ବ୍ୟବହାର କରାଯାଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସେହିପରି ବନ୍ଦ ବିଦ୍ୟାଳୟ ଗୁଡିକର ଚାବି କାହା ଦାୟିତ୍ୱରେ ରହିଛି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏବିଷୟରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପଚାରିବାରୁ ବନ୍ଦ ବିଦ୍ୟାଳୟ ଗୁଡିକ କାହା ଦାୟିତ୍ୱରେ ରହିଛି ସେସଂର୍ପକରେ ବ୍ଳକ ଶିକ୍ଷାଧିକାରୀ ଜାଣିଥିବେ ବୋଲି କହିଥିଲେ । ସେହିପରି ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତଙ୍କୁ ପଚାରିବାରୁ ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକର ତଦାରଖ ଦାୟିତ୍ୱ ପଂଚାୟତ ସମିତି କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ