ନିର୍ବାଚନ ପାଇଁ ଅର୍ଥ କାରବାର ଉପରେ ବ୍ଲକଇଙ୍ଗ୍ ପୁଲିସ ପକ୍ଷରୁ ଗାଡ଼ି ମଟର ଯାଂଚ, ଅପରାଧ ଉପରେ ନଜର
ଅନୁଗୋଳ, – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଆରମ୍ଭ ହୋଇଛି। ଜିଲାରେ ବେଆଇନ ଅର୍ଥ କାରବାର ଓ ଆପରାଧିକ କାର୍ୟ୍ୟକଳାପ ରୋକିବା ସହ ସହରକୁ ଆସୁଥିବା ବିଭିନ୍ନ ଗାଡ଼ି ଉପରେ ସ୍ବତନ୍ତ୍ର ନଜର ରଖାଯିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଜିଲାକୁ ପ୍ରଚୁର ପରିମାଣର ବେଆଇନ ଅର୍ଥ ଆସିବ ବୋଲି ପୋଲିସ ନିକଟରେ ଖବର ରହିଛି। ଏଥିପାଇଁ ବିଭାଗ ସଜାଗ ରହିଛି। ଯଦି ଏହାର କିଛି ସୁରାକ ମିଳେ ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।
ଅନୁଗୋଳ ସହର ସମେତ ତାଳଚେର, କଣିହାଁ, ବଅଁରପାଳ, ବନ୍ତଳା ଅଞ୍ଚଳରେ ପୋଲିସ ପକ୍ଷରୁ ପିକେଟିଂ ବ୍ୟବସ୍ଥା କରାଯାଇଛି। ସୀମାନ୍ତ ଅଞ୍ଚଳରେ ଖୁବ୍ଶୀଘ୍ର ଏହା କରାଯିବ। ବାମୁର, ପାଲଲହଡ଼ା, ବହ୍ଲରଛକ, ବଅଁରପାଳ, କଣ୍ଟାବଣିଆ ଛକ ଦେଇ ସହର ମଧ୍ୟକୁ ଆସୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯିବ। ଜିଲା ବାହାର ଗାଡ଼ିଗୁଡ଼ିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯିବ। ଏହି ଯାଞ୍ଚ ପାଇଁ ଜିଲା ପୋଲିସକୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଏକ ଟିମ୍ ଗଠନ କରାଯାଇଛି। ଗାଡ଼ି ଯାଞ୍ଚ ସମୟରେ ଯଦି କୌଣସି ବ୍ୟକ୍ତି ଅସହଯୋଗ କରନ୍ତି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋମବାର ବିଳମ୍ବିତ ରାତିରେ ହେମସୁରପଡ଼ା ଛକରେ ଅନୁଗୋଳ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇ ଯାଞ୍ଚ କରାଯାଇଥିଲା। ଚାରି ଚକିଆ ଗାଡ଼ିଗୁଡ଼ିକର ଡିକି ଖୋଲି ଯାଞ୍ଚ କରାଯିବା ସହ କେଉଁମାନେ କେଉଁ ଅଞ୍ଚଳକୁ ଯାଉଛନ୍ତି ତାହା ପୋଲିସ ପଚାରି ବୁଝିଥିଲା। ସେହିପରି ଦୁଇ ଚକିଆ ଯାନର ଡିକି, ବ୍ୟାଗ, ଗାଡ଼ି କାଗଜପତ୍ର ଓ ଲାଇସେନ୍ସ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ଏସ୍ଆଇ ସତ୍ୟ ଲେଙ୍କା, ବିପ୍ଳବ ସାହୁ, ସୋମ୍ୟା ରାୟ,, ସ୍ବର୍ଣ୍ଣଲତା ସଣ୍ଡ,, ଏ ଏସ୍ ଆଇ ପ୍ରଶାନ୍ତ ସାହୁ, ଦିଲିପ ସାହୁ ପ୍ରମୁଖ ଯାଂଚ କରିଥିବା ଦେଖିବାକୁ ମିଳିଥିଲା


