ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୀଷ ଠାକରେଙ୍କ ତତ୍ତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନ ୪ ଘଟିକା ସମୟରେ ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ପ୍ରମୁଖ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।ବିଭିନ୍ନ ବର୍ଗର ବୁଥ, ସହାୟକ (ଅଗଜିଲାରି) ବୁଥ ସୃଷ୍ଟି, ରାଜନୈତିକ ଦଳଙ୍କର ବି.ଏଲ.ଏଙ୍କ ସମ୍ପ୍ରତି ତାଲିକା, ରାଜ୍ୟ ସଭାପତିଙ୍କଠାରୁ ପ୍ରାଧିକରଣ ପତ୍ରର ବ୍ୟବସ୍ଥା, ସୁବିଧା ପୋର୍ଟାଲ୍, ନିର୍ବାଚନ ଅନୁମତି ଏବଂ ଭୋଟର ଟର୍ନଆଉଟ୍ ମନିଟରିଂ ଭଳି ଆଇସିଟି ପ୍ରୟୋଗଗୁଡ଼ିକର ବ୍ୟବହାର, ଭୋଟରମାନଙ୍କୁ ପ୍ରଭାବଶାଳୀ ଭାବରେ ଶିକ୍ଷିତ ତଥା ଜଡିତ କରିବା ପାଇଁ ନିର୍ବାଚନ ପ୍ରଦର୍ଶନ କେନ୍ଦ୍ର ଏବଂ ମୋବାଇଲ୍ ପ୍ରଦର୍ଶନ ଯାନର ଭୂମିକା ଏବଂ ନିୟୋଜନ ଉପରେ ବିଶେଷ ଆଲୋଚନା କରାଯାଇଥିଲା I ନିର୍ବାଚନ ପ୍ରକ୍ରିୟାରେ ଭୋଟରମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କୁ ସର୍ବଶ୍ରେଷ୍ଠ ଗୁରୁତ୍ୱ ଦିଆଯିବା ସହିତ ସମସ୍ତ ନିର୍ବାଚନୀ ପ୍ରସ୍ତୁତି ଓ ପରିଚାଳନାରେ ତାଙ୍କ ଭାଗିଦାରୀ ଉପରେ ଧ୍ୟାନ ଦିଆଯିବା ଉଚିତ୍ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ I ନିର୍ବାଚନ ଆଦର୍ଶ ଆଚରଣ ବିଧି ପରିପାଳନ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ପୋଲିସ ମୁତୟନ, ପୋଷ୍ଟର ବ୍ୟାନର ମାରିବା ଅନୁମତି ପ୍ରଦାନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ କାର୍ଯ୍ୟାବଳୀ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ନିର୍ବାଚନ ପରିଚାଳନା କାର୍ଯ୍ୟରେ କୌଣସି ପ୍ରକାର ତ୍ରୁଟି ପାଇଁ କ୍ଷମା ନାହିଁ ତେଣୁଁ ସେଥି ସକାଶେ ପ୍ରତ୍ୟେକ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ନିୟମ ରହିଛି ତାକୁ ସେହି ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ପରିଶେଷରେ ଶ୍ରୀ ଠାକରେ ଉପସ୍ଥିତ ସମସ୍ତ ରାଜନେତା ଏବଂ ଅଧିକାରୀଗଣଙ୍କୁ ଆଗାମୀ ନିର୍ବାଚନ ସ୍ୱଚ୍ଛ ଓ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପାଦନା କରିବାପାଇଁ ପରାମର୍ଶ ଦେଇଥିଲେ ଏବଂ ନିର୍ବାଚନକୁ ସ୍ୱଚ୍ଛ ଭାବେ ସମ୍ପାଦନା କରାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ