‘ନିଷ୍ଟ’ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମେଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ନିଷ୍ଟ ଯୁକ୍ତଦୁଇ ବିଜ୍ଞାନ ଓ କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ମାଟ୍ରକ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସହଦେବଖୁଣ୍ଟା ଆଦର୍ଶ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାରେ ନିଷ୍ଟ ଶିକ୍ଷାନୁଷ୍ଠାନର ଏହି ପ୍ରୟାସ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଯାତ୍ରା କଳାକାର ବାପି ପଣ୍ଡା, ସଂଜୟ ଭୋଳ, ଅଭିନେତ୍ରୀ ଲିଜା ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ କଳାକାର ଜୀବନର ଆତ୍ମକଥା ଉପରେ ଆଲୋକପାତ କରିଥିଲେ । ଅଗ୍ନିଡେଣା ବିଜ୍ଞାନ ପତ୍ରିକାର ସମ୍ପାଦକ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସବୁ ମହଲରୁ ପ୍ରଚେଷ୍ଟା ରହିଲେ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ବାଲେଶ୍ୱରରୁ ଅଧିକରୁ ଅଧିକ ଟପ୍ପର ବାହାରିବେ ବୋଲି ଡ. ଜେନା ଆଶା ପ୍ରକାଶ କରିଥିଲେ । ଅଧ୍ୟାପକ ବିଦ୍ୟାଧର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧ୍ୟାପକ ନିରଞ୍ଜନ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ତମ କୁମାର ବାରିକ, ତାପସ ମିଶ୍ର, ଡ. ନିବାରଣ ଶତପଥୀ, ଅଜିତ କୁମାର ସାହୁ, ମନୋଜ କୁମାର ପ୍ରଧାନ, ମାନସ ରଞ୍ଜନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।