ନିୟାମତପୁର ଭୟାବହ ଅଗ୍ନିକାଣ୍ଡର ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ କଂଗ୍ରେସ ଓବିସି ସେଲର ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ନିୟାମତପୁର ଗ୍ରାମର ଭୟାବହ ଅଗ୍ନିକାଣ୍ଡରେ ପିଡିତ ପରିବାରକୁ କ୍ଷତିପୁରଣ ଓ ଗୃହ ଯୋଗାଇଦେବାକୁ ଜିଲ୍ଲା କଂଗ୍ରେସ ଓବିସି ସେଲ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ମହାକାଳପଡା ବ୍ଲକର ନିୟାମତପୁର ଗ୍ରାମରେ ଗ୍ୟାସଚୁଲାରେ ରୋଷେଇ କଲାବେଳେ ଅଗ୍ନିକାଣ୍ଡ ଘଟି ୧୧ଟି ପରିବାରର ୧୮ବଖରା ଘର ପୋଡିଯିବା ସହ ନଗଦ ଟଙ୍କା, ସୁନା, ଟିଭି, ଫ୍ରିଜ, ଆଲମିରା, ଲୁଗା ଓ ଖଟ ପ୍ରଭୃତି ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ସେହି ପରିବାର ଗୁଡିକ ଏବେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ମହାକାଳପଡାର ଅନତି ଦ୍ୱରରେ ଆଇ.ଓ.ସି.ଏଲ.ର କାର୍ଯ୍ୟାଳୟ ଅବସ୍ଥିତ । ବ୍ୟବସ୍ଥା ଅନୁଯାଇ ଗ୍ୟାସ ଲିକରେ କୈାଣସି ଅଗ୍ନିକାଣ୍ଡ ଘଟିଲେ କ୍ଷୟକ୍ଷତିର ଭରଣା ସଂପୃକ୍ତ ଗ୍ୟାସ କମ୍ପାନୀ କରିବା କଥା । ବର୍ତ୍ତମାନ କରୋନା ଜନିତ ଲକଡାଉନ ଯୋଗୁଁ ପିଡିତ ବ୍ୟକ୍ତି କୋର୍ଟ କଚେରି ବା ସରକାରୀ କାର୍ଯ୍ୟାଳୟକୁ ଦୈାଡି ସରକାରୀ ସହାୟତା ବା କ୍ଷତିପୁରଣ ପାଇବା ବହୁ କଷ୍ଟକର । ଏଣୁ ସେହି କ୍ଷତିଗ୍ରସ୍ତ ପରିବାର ଗୁଡିକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହ ଏକମାସ ପାଇଁ ରାସନ,୨ସପ୍ତାହ ପାଇଁ ରନ୍ଧାଖାଦ୍ୟ ଓ ସମସ୍ତ ପରିବାରକୁ ପକ୍କାଘର ସହିତ ସମସ୍ତ ଆସବାବପତ୍ର ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୁରଣ ପ୍ରଦାନ ନିମନ୍ତେ କ୍ୟାମ୍ପ କୋର୍ଟ ବସାଯିବାର ବ୍ୟବସ୍ଥା କରାଯିବାକୁ ରାଜ୍ୟ କଂଗ୍ରେସ ଓବିସି ସେଲର ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ ଓ ଜିଲ୍ଲା କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବି କରିଛନ୍ତି ।