ନୂତନ ପଡ଼ି ଦୋକାନୀ ନିଯୁକ୍ତି ପାଇଁ ଜିଲାପାଳଙ୍କୁ ଗୁହାରୀ
ବାଲେଶ୍ୱର, (ସରୋଜ ପଣ୍ଡା) : ଦୀର୍ଘଦିନ ଧରି ଖାଉଟି ସାମଗ୍ରୀରୁ ବଞ୍ଚିତ ରେସନ କାର୍ଡ଼ଧାରୀ ମଙ୍ଗଳବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡିଆ ପଞ୍ଚାୟତର ଗଞ୍ଜା, ଭଅଁରେଶ୍ୱର, ଝିକିରିରଆ, ବିଶ୍ୱନାଥପୁର, ଜଳେଶ୍ୱରପୁର, ରାଉପୁର, ଲଙ୍ଗଳେଶ୍ୱର ଓ ବଣିଆଡିହା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜିଲାପାଳଙ୍କୁ ସାକ୍ଷାତ ସହ ସୁଲଭ ଖାଉଟି ସାମଗ୍ରୀ ପାଇବାରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ୮ ଗୋଟି ଗ୍ରାମ ପାଇଁ ଲଙ୍ଗଳେଶ୍ୱରର ଏକମାତ୍ର ପଞ୍ଜୀକୃତ ଖୁଚୁରା ଦୋକାନୀ ଲୋକଙ୍କୁ ଖାଉଟି ସାମଗ୍ରୀ ବଣ୍ଟନର ଦାୟିତ୍ୱ ତୁଲାଇ ଆସୁଛନ୍ତି । ପ୍ରତିମାସ ୭୫ ପ୍ରତିଶତ ଖାଉଟି ସାମଗ୍ରୀ ଉଠାଇ ତାହାକୁ ଅଳ୍ପ ଅଳ୍ପ କରି ରେସନ କାର୍ଡ଼ଧାରୀଙ୍କୁ ପ୍ରଦାନ କରୁଥିବା ବେଳେ ୨/୩ ଥର ଫେରିବା ପରେ ଲୋକେ ସାମଗ୍ରୀ ପାଉଛନ୍ତି । ଗୋଟିଏ ମାସରେ ବି କାର୍ଡ଼ଧାରୀଙ୍କୁ ଧାର୍ଯ୍ୟ ସାମଗ୍ରୀ ମିଳୁନଥିବା ସେମାନେ ଆରୋପ ଉଠାଇଛନ୍ତି । ଏନେଇ କେହି ଅଭିଯୋଗ କଲେ ତାଙ୍କୁ ଦୋକାନୀ ଅସଭ୍ୟ ଭାଷାରେ ଗଳିଗୁଲଜ କରନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି । ସମସ୍ୟାର ସମାଧାନ ପାଇଁ ଏହି ଅଞ୍ଚଳରେ ଆଉ ଏକ ନୂତନ ଦୋକାନୀ ନିଯୁକ୍ତି ପାଇଁ ସେମାନେ ଗୁହାରୀ କରିଛନ୍ତି ।ଏନେଇ ସେମାନେ ରାଜ୍ୟ ଯୋଗାଣ ମନ୍ତ୍ରୀରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ଶିବାନୀ ଜେନା, ସୁମିତ୍ରା ଜେନା, ମନ୍ମଥ ମଲିକ, କନକଲତା ଜେନା, ନିୟତି ନାୟକ, ଅଞ୍ଜନା ଜେନା, ମଞ୍ଜୁ ଗୋଚ୍୍ଛାୟତ, ଶକୁନ୍ତଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।