ନେହେରୁ ଯୁବକେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରସ୍ଥିତ ପାୟଲ ମ୍ୟୁଜିକ ସ୍କୁଲ ପରିସରରେ ନେହେରୁ ଯୁବକେନ୍ଦ୍ରର ୪୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଜିଲ୍ଲା ସ୍ତରୀୟ ଉତ୍ସବ କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଶିକ୍ଷକନେତା ପ୍ରଣବ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପାଲାଗାୟକ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା, ସଂସ୍କୃତି ଓ କଳା କ୍ଷେତ୍ରରେ ଯୁବ ପ୍ରତିଭାର ବିକାଶ ପାଇଁ ନିରନ୍ତର ସାଧନା ସହ ନିଷ୍ଠାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଗୋଲି ତିରୁପତି ରେଡ୍ଡୀ ଯୋଗଦେଇ ଭାରତୀୟ ଯୁବକ ଓ ଯୁବତୀମାନଙ୍କର କ୍ରୀଡା, ସଂସ୍କୃତି ଓ କଳା କ୍ଷେତ୍ରରେ ବିକାଶ ପାଇଁ ଗତ ୧୯୭୨ମସିହାରେ ନେହେରୁ ଯୁବକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହି ଯୁବକେନ୍ଦ୍ର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକରି ଯୁବକଯୁବତୀମାନଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ ଦେଇଆସୁଛି ବୋଲି କହିଥିଲେ । ନେହେରୁ ଯୁବକେନ୍ଦ୍ର ପରିଦର୍ଶକ ଲକ୍ଷ୍ମଣ କୁମାର ଜେନା ଯୋଗଦେଇ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଯୁବଶକ୍ତି ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହେବ ବୋଲି ବକ୍ତବ୍ୟ ରଖିଥିଲେ । ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ଅତିଥି ପରିଚୟ,ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମ୍ୟୁଜିକ ଶିକ୍ଷକ ଭାଷ୍କର ଚନ୍ଦ୍ର ବେହେରା ଓ ତବଲାବାଦକ ସରୋଜକାନ୍ତ ପଣ୍ଡାଙ୍କ ସଂଯୋଜନାରେ ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ । ଶେଷରେ ନୃତ୍ୟଗୁରୁ ଦିଲ୍ଲିପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।