ପରିବା ଦର ଅସହ୍ୟ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଏବେ ପୁଣ୍ୟ ମାସ କାର୍ତିକ ଚାଲିଛି । ଓଷା ବ୍ରତର ମାସ । ପାର୍ବଣ ସରିନି କହିଲେ ଚଳେ । ବୋଇତ ବନ୍ଦାଣ ପର୍ଯ୍ୟନ୍ତ ପାର୍ବଣର ଝଲକ ରହିବ । ହେଲେ କାର୍ତିକ ମାସ ମହାଦେବ ଶିବ ଓ ବିଷ୍ଣୁ ଭଗବାନଙ୍କ ମାସ ଭାବେ ପରିଗଣିତ ହୋଇଥିବାରୁ ଲୋକେ ଆମିଷ ଭୋଜନକୁ ନା’ କରି ଦେଇଛନ୍ତି । ଏଭଳି ପରିସ୍ଥିତିରେ ପରିବା ଦର ଅସହ୍ୟ ହୋଇପଡ଼ିଛି । ଦର ଯାହା ହୋଇଛି, ତାହା ସହ୍ୟ କରିବା ସମସ୍ତଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ିଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ପ୍ରଚୁର ପରିମାଣରେ ପନିପରିବା ଅମଳ ହେଉଥିବା ବେଳେ ହିଞ୍ଜିଳିକାଟୁ ସହରରେ ପରିବା ଦର ଯଦି ଏଭଳି ଅସହ୍ୟ ହୋଇପଡ଼ିଛି, ତେବେ ଅନ୍ୟାନ ସହରରେ ପରିବା ଦର କିଭଳି ଥିବ ତାହା ସହଜେ ଅନୁମେୟ । ଧର୍ମର ମାସ କାର୍ତିକ ମାସ ଚାଲିଥିବାରୁ ପ୍ରାୟତଃ ସମସ୍ତେ ସାଦା ଓ ନିରାମିଷ ଭୋଜନ ଗ୍ରହଣ କରିଥାନ୍ତି । ଏଥି ସକାଶେ ସମସ୍ତେ ପରିବା ଉପରେ ନିର୍ଭରଶୀଳ । ଗତମାସରେ ଲଗାଣ ବର୍ଷା ଫଳରେ ଖନ୍ଦ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଯାହା କିଛି ବି ଅମଳ ହେଉଛି, ତାହା ବି ପୁଣି ଚାଷ ଜମି ନିକଟରୁ ହିଁ ଶେଷ ହୋଇଯାଉଛି । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ରାଇକିଆ ଅଂଚଳରୁ ଯାହା ବି କିଛି ପନିପରିବା ଆସୁଛି ତାହାକୁ ବେପାରୀ ମାନେ ବିକ୍ରି କରୁଛନ୍ତି । ଧର୍ମର ମାସ କାର୍ତିକ ମାସ ଚାଲିଥିବାରୁ ପ୍ରାୟ ଲୋକଙ୍କ ଘରେ ଆମିଷ ପଶିବା ନିଷେଧ ହୋଇଯାଇଛି । ମନ୍ଦିରର ହବିଷାନ୍ନ ଭୋଜନକୁ ଲୋକେ ପସନ୍ଦ କରୁଛନ୍ତି । ଆମିଷକୁ ଲୋକେ ନା’ କରୁଥିଲେ ମଧ୍ୟ ଦର କମିନି । ଆମିଷ ଦର ସହିତ ସମକକ୍ଷ ହୋଇ ଏବେ ପରିବା ଦର ଚାଲିଥିବାରୁ ୫ଶହ ଟଙ୍କାରେ ମଧ୍ୟ ବ୍ୟାଗ ଭର୍ତି ହେଉନି । ଏଭଳି ପରିବା ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ଚିନ୍ତା ବଢିଯାଇଛି । ଅନ୍ୟପକ୍ଷରେ ଏଭଳି ଦରବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅନ୍ୟ ଉପାୟ ନପାଇ ଦର ଅଧିକ ହେଲେ ମଧ୍ୟ କମ୍ ପରିମାଣର ପରିବା କିଣି ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି । ବିଗତ ଦିନ ଗୁଡ଼ିକରେ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ହିଞ୍ଜିଳିକାଟୁ ଅଂଚଳରୁ ଯଥେଷ୍ଟ ପରିମାଣରେ ପନିପରିବା ରପ୍ତାନି ହେଉଥିଲା । ସ୍ଥାନୀୟ ବ୍ଳକର ଖରିଡ଼ା, ଆଲପୁର, ବୁରୁପୋଡ଼ା, ସିକିରି, ରାଳବ, ଖଣ୍ଡରା, ଚାନ୍ଦୁଲି ଅଂଚଳରୁ ପ୍ରଚୁର ପରିମାଣରେ ପନିପରିବା ଆମଦାନି ହୋଇ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତି ଅଂଚଳର ବିଭିନ୍ନଜ ଅଂଚଳରେ ବିକ୍ରି ହେଉଥିଲା । ଗତ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀøୟ ଅଂଚଳର ପରିବା ଚାଷୀ ମାନେ ବେଶ କ୍ଷତିଗ୍ରସ୍ତ ହୋଇ ପଡ଼ିଛନ୍ତି । ଯଦ୍ୱାରା ବର୍ତମାନ ପରିବା ପାଇଁ ଏବେ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ଓ ଦର ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି ବୋଲି ସ୍ଥାନୀୟ ଅଂଚଳର ପରିବା ବ୍ୟବସାୟୀ ମାନେ କହିଛନ୍ତି । ଆଗାମି ଦିନରେ ସ୍ଥାନୀୟ ଅଂଚଳରେ ପରିବା ଆମଦାନି ପରେ ଦର କମିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବ୍ୟବସାୟୀ ଓ ଗ୍ରାହକ ମାନେ ଆଶା ବାନ୍ଧିଛନ୍ତି । ହିଞ୍ଜିଳିକାଟୁ ପରିବା ବଜାରରେ ଆଳୁ ଦର କିଲୋ ୩୮ରୁ ୪୦ ଟଙ୍କା ରହିଥିବା ବେଳେ ପିଆଜ ୮୦ରୁ ୮୫, ଟମାଟ ୪୦ରୁ ୪୫, ଫୁଲକୋବି ୮୦, ବିନ୍ସ ୧୨୦, ବନ୍ଧାକୋବି ୪୦, କଟିକି ୭୦, ଦେଶୀଆଳୁ ୫୦, କଖାରୁ ଓ ଭଣ୍ଡା ୩୦, ଭେଣ୍ଡି ୪୦ ଓ କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତିକରେ ପୁଣି ବୃଦ୍ଧି ପାଇଛି । କହିବାକୁ ଗଲେ ପରିବା ଦର ସମସ୍ତଙ୍କୁ ନାକେଦମ କରି ପକାଇଛି ।


