ପରିବେଶ ପ୍ରଦୂଷଣ ସଂକ୍ରାନ୍ତୀୟ ଗୃହ କମିଟି ବୈଠକ: ପ୍ରଦୂଷଣକୁ ଶୂନ୍ୟ ସହନଶୀଳତା ପାଇଁ ନିଷ୍ପତି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଭିଡିଓ କନଫେରେନ୍ସିଂ ଜରିଆରେ ବୁଧବାର ଦିନ ପରିବେଶ ପ୍ରଦୂଷଣ ସଂକ୍ରାନ୍ତୀୟ ଗୃହ କମିଟି ବୈଠକ ବିଧାନସଭା ପ୍ରକୋଷ୍ଠ ୫୯ରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପରିବେଶ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଛି । କ୍ରସରମାନଙ୍କ ଦ୍ୱାରା ନିର୍ଗତ ଛୋଟ ଛୋଟ ପଥରଗୁଣ୍ଡ କ୍ୟାନସର, କିଡନୀ ଜଟିଳତା ଭଳି ଦୂରାରୋଗ୍ୟ ସୃଷ୍ଟି କରୁଥିବାରୁ ବାଚସ୍ପତି ଡ଼ଃ ପାତ୍ର ଘୋର ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାର ନିରାକରଣ ପାଇଁ ପଦକ୍ଷେପ ନିଆଯିବା ଉଚିତ୍ ବୋଲି କହିଥିଲେ ।
ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗ୍ରୀନ୍ ଟ୍ରିବ୍ୟୁନାଲ ଦ୍ୱାରା ପ୍ରଦତ ରାୟ ଗୁଡିକର ବିବରଣୀ ଏ ସଂକ୍ରାନ୍ତୀୟ ଗଠିତ ସବ୍‌-କମିଟିକୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପରିବେଶ ପ୍ରଦୂଷଣ ଉଦବେଗଜନକ ଭାବେ ବଢୁଥିବାରୁ ଘୋର ଚିନ୍ତା ପ୍ରକଟ କରିଥିଲେ । ବିଧାୟକ ଅମର ପ୍ରସାଦ ଶତପଥୀ ବିଭିନ୍ନ କଳକାରକାମାନଙ୍କରୁ ନିର୍ଗତ କାର୍ବନ ପରିବେଶ ଉପରେ ଗଭୀର ପ୍ରଭାବ ପକାଉଥିବା ଦର୍ଶାଇଥିଲେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଧାୟକ ସୁବାସ ଚନ୍ଦ୍ର ବେହେରା ସମ୍ପ୍ରତି ପଲିଥିନର ବହୁଳ ବ୍ୟବହାର ହେଉଥିବାରୁ ପରିବେଶ ଉପରେ କୁପ୍ରଭାବ ପଡୁଥିବା ଦର୍ଶାଇଥିଲେ ଏବଂ ଏହାକୁ ରୋକିବାକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ଦେଇଥିଲେ । ସହରାଂଚଳ ଏବଂ ଗ୍ରାମାଂଚଳରେ ପ୍ରଦୂଷଣ ଉପରେ ଗଠିତ ସବ୍‌-କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର, ବିବିନ୍ନ ଶିଳ୍ପ ସଂସ୍ତା ଦ୍ୱାରା ନିର୍ଗତ ଦୂଷିତ ଜଳ ଉପରେ ଗଠିତ ସବ୍ – କମିଟିର ଅଧ୍ୟକ୍ଷ ମୋହନ ଚରଣ ମାଝୀ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ୱାରା ନିର୍ଗତ କାର୍ବନ ଉପରେ ଗଠିତ ସବ୍‌-କମିଟିର ଅଧ୍ୟକ୍ଷ ବଦ୍ରି ନାରାୟଣ ପାତ୍ର ବିଧାନସଭାକୁ ପରିବେଶ ପ୍ରଦୂଷଣ ଉପରେ ଚୁଡାନ୍ତ ରିପୋର୍ଟ ଦେବେ ଏବଂ ରିପୋର୍ଟ ଉପରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ । ଏହି ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ