ପଲିଥିନ୍‍ ସାଜିଛି ସାହାରା; ବର୍ଷେ ହେଲା ଡହଳ ବିକଳ ଜୀବନ ବିତାଉଛନ୍ତି ଦମ୍ପତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ପଲିଥିନ୍‍ ସାଜିଛି ସାହାରା। ବର୍ଷେ ହେଲା ଡହଳ ବିକଳ ଜୀବନ ବିତାଉଛନ୍ତି ଏକ ବରିଷ୍ଠ ଦମ୍ପତି। ଗତ ଦିନରେ ହୋଇଥିବା ଲଗାଣ ବର୍ଷାରେ ଘର ଭାଙ୍ଗିଗଲା । ଫଳରେ ଅର୍ଥ ଅଭାବ ଯୋଗୁଁ ଘର ଆଉ ମରାମତି ହୋଇ ପାରୁନାହିଁ । ଏପଟେ ପୁଅ ରୋଜଗାର ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରେ । ଘର ଭାଙ୍ଗିବାର ଇତି ମଧ୍ୟରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହୋଇ ସାରିଲାଣି। ମିଳିଛି କେବଳ ପଲିଥିନ୍‍ ଖଣ୍ଡିଏ । ସେହି ପଲିଥିନ୍‍ ହିଁ ପାଲଟିଛି ସାହାରା। ବର୍ଷେ ହେଲା ପଲିଥିନ୍‍ ତଳେ ଜୀବନ ବିତାଉଛନ୍ତି ଏହି ଦମ୍ପତି। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ପଞ୍ଚାୟତର ଲଣ୍ଡୁପଡ଼ା ଗ୍ରାମର ଘଟଣା।ଖବର ପ୍ରକାରେ, ଗ୍ରାମର ସ୍ୱାମୀ ମନୋହର ଦେହୁରୀ(୭୪) ଓ ସ୍ତ୍ରୀ ପୁଇନ ଦେହୁରୀ (୬୮) ଏବେ ଜୀବନ ବିତାଉଛନ୍ତି ବହୁ ଦୟନିୟ ଅବସ୍ଥାରେ । ଗତ ଦିନରେ ଘର ଭାଙ୍ଗଯିବା ଫଳରେ ସେମାନେ ସରପଞ୍ଚ  ଓ ରାଜସ୍ୱ ନିରୀକ୍ଷକଙ୍କ ଜଣାଇବାପରେ ଖଣ୍ଡିଏ ପାଲ ଦିଆଯାଇଛି । ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି। ପାଲର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଥିବା ବେଳେ ସରକାରୀ ଯୋଜନାର ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ,ବ୍ଳକର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ମିଳିନାହିଁ ବୋଲି କହିଛନ୍ତି ଏହି ବୃଦ୍ଧ ଓ ବୃଦ୍ଧା ଦମ୍ପତି। ଏପଟେ ପୁଅ ଦାଦନ ପାଇଁ ଯାଇଥିବା ବେଳେ ଅର୍ଥର ଅଭାବ ସହିତ କରୋନା କଟକଣା ଯୋଗୁଁ ଲକ୍‍ ଡ଼ାଉନ୍‍ ଓ ସଟ୍‍ ନାଉନ୍‍ ଆଦି ନିୟମ ଫଳରେ ସେ ଆଉ ଫେରିପାରୁନାହିଁ। ଏହି ଦମ୍ପତିଙ୍କୁ ସରକାରୀ ସରକାରୀ ପକ୍ଷରୁ ୧୦ କେଜି ଚାଉଳ ସହିତ ଉଭୟଙ୍କୁ ୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ ଭତ୍ତା ପ୍ରଦାନ କରାଯାଉଛି। ଏତିକିରେ ସେମାନେ କୌଣସି ପ୍ରକାର ଜୀବନ ବଂଚାଇଥିବା ବେଳେ ଘର ପାଇଁ ଏବେ ନାନା ସମସ୍ୟାରେ ପଡ଼ିଛନ୍ତି । ଘରଟିଏ ପାଇଁ ବହୁବାର କାକୁତି ମିନତି ହୋଇଥିଲେ ମଧ୍ୟ କେହି କିଏ ଆହା ପଦେ କହିନାହାନ୍ତି ବୋଲି କହିଛନ୍ତି ଏହି ଦମ୍ପତି। ତେବେ ସେମାନେ ଯୋଗ୍ୟ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ଏହି ଯୋଜନାରେ ସାମିଲ୍‍ କରାଯାଉନାହିଁ ତାହା ସେମାନଙ୍କୁ ଚିନ୍ତାରେ ପକାଇଛି ବୋଲି କହିଛନ୍ତି ଏହି ପରିବାର। ଅନ୍ୟପକ୍ଷରେ ଏନେଇ ବଲସକୁମ୍ଫା ସରପଞ୍ଚଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା। ତେବେ ଘଟଣା ସମ୍ପର୍କରେ ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କ ସହିତ ଯୋଗାଯୋଗ କରିବାରେ ଉକ୍ତ ପରିବାର ନାମ ଯଦି ସରକାରୀ ନିୟମ ତାଲିକାଭୁକ୍ତା ହୋଇଥିବ ତାହା ନିଶ୍ଚିତ ଭାବେ ସେମାନଙ୍କ ଆବାସ ଯୋଜନାରେ ସାମିଲ୍‍ କରାଯିବ ଓ ଯଦି ହୋଇନଥିବ ତାହା ହେଲେ ଘଟଣାର ତଦନ୍ତ କରାଯାଇ ସେମାନଙ୍କ ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେଇ ସେମାନଙ୍କ ଉକ୍ତ ଯୋଜନାରେ ସାମିଲ୍‍ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ