ପାରଳାକୁ ସୌନ୍ଦର୍ଯ୍ୟ ଓ ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ଉନ୍ନତି କରିବା ସହ ସୌନ୍ଦର୍ଯ୍ୟକରଣ ଓ ପ୍ରଶସ୍ତିକରଣ ପାଇଁ ପ୍ରଶାସନର ନିର୍ଦ୍ଦେସକ୍ରମେ ଆଜି ଠାରୁ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପାରଳାଖେମୁଣ୍ଡି ସହରର ପୋଲିସ ଥାନା ଛକ ଠାରୁ ଆଜି ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ସାରା ସହରର ମୁଖ୍ୟ ରାସ୍ତାରେ ପ୍ରଥମେ ଏହି କାର୍ଯ୍ୟ ସମାପନ କରାଯିବ । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟେଟ୍ ଭାବେ ପାରଳା ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ପାରଳା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ,ପାରଳା ଥାନ ଆଇଆଇସି ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ପୋଲିସ, ରାସ୍ତାକୋଠାବାଡି ଓ ପୌର ପରିଷଦର କର୍ମଚାରୀମାନେ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଖବର ଲେଖିବା ସୁଦ୍ଧା ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଚାଲୁରହିଛି ।