ପିତୃପକ୍ଷରେ ଶ୍ରାଦ୍ଧ ଦେଲେ ତୃପ୍ତ ହୁଅନ୍ତି ପିତୃପୁରୁଷ

ସନ୍ତୋଷ କୁମାର ଦାଶ
ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷ କୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ବିଭିନ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟ ରେ ପିତୃଲୋକ ର ସବୁ ଅତୃପ୍ତ ଆତ୍ମା ପ୍ରେତତ୍ୱ ରୁ ମୁକ୍ତି ପାଇଥାନ୍ତି । କନ୍ୟା ରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃ ରାଜ୍ୟରେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟ ଙ୍କର କିରଣ କୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃ ଲୋକ ମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜ ମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷ ମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି । ଆଶ୍ୱିନ ମାସର ଚାନ୍ଦ୍ରମାସ ପକ୍ଷ ବା କୃଷ୍ଣ ପକ୍ଷ ପୃଥିବୀ ପୃଷ୍ଠ ଟି ମହାଆଳୟ ରେ ପରିଣତ ହୋଇଥାଏ । ପିତୃ ଓ ଅବିମୁକ୍ତ ଆତ୍ମା ଉଭୟ ଶ୍ରଦ୍ଧା ଓ କାମନା ରେ ନିଜ ଗୃହରେ ଉପଗତ ହୋଇଥାନ୍ତି । ଏହି ସମୟ ରେ ସେମାନଙ୍କ ଉଦ୍ଦେଶ୍ୟ ରେ ଶ୍ରାଦ୍ଧ, ପିଣ୍ଡ, ତିଳ ତର୍ପଣ ଅର୍ପଣ କଲେ ସେମାନେ ତୃପ୍ତ ହୋଇ ନିଜ ପରିବାର ର ପରିଜନ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି। ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ଦେବା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ଏକ ଅଙ୍ଗ ହୋଇ ରହିଆସିଛି।ଶାସ୍ତ୍ର ମତରେ ଆମ ପୃଥିବୀ ଲୋକ ରେ ଏକ ବର୍ଷ ପିତୃ ଲୋକ ରେ ଏକ ଦିନ। ଏଣୁ ଶ୍ରାଦ୍ଧ ଦିବସ ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପିତୃପୁରୁଷ ଙ୍କୁ ପିଣ୍ଡ ଦାନ ସହିତ ବ୍ରାହ୍ମଣ ଭୋଜନ ପ୍ରଦାନ କରା ଯାଇଥାଏ। ପିତୃପୁରୁଷ ମାନଙ୍କୁ ପିଣ୍ଡ ଦାନ ଦ୍ବାରା ସେମାନେ ଉପାସ ରେ ରହି ନ ଥାନ୍ତି। ଏଣୁ ସେମାନେ ତୃପ୍ତ ରହି ନିଜ ସନ୍ତାନ, ପରିବାର, ପରିଜନ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି। ପିତୃ ପୁରୁଷ ମାନଙ୍କୁ ପିଣ୍ଡ ଦାନ ଦ୍ବାରା ପରିବାର ରେ ସୁଖଶାନ୍ତି ବିରାଜମାନ କରିଥାଏ ବୋଲି ବିଶ୍ୱାସ ରହିଛି। ଯେଉଁ ମାନେ ଶ୍ରାଦ୍ଧ ଦିବସ ଦିନ ପିତୃ ପୁରୁଷ ମାନଙ୍କୁ ପିଣ୍ଡ ଦାନ କରି ପାରିନଥାନ୍ତି ସେମାନେ ଏହି ପିତୃପକ୍ଷ ବା ଅପର ପକ୍ଷ ରେ ପିତୃ ପୁରୁଷ ମାନଙ୍କୁ ପିଣ୍ଡ ଦାନ କରି ନିଜ ପରିବାରର ଶୁଭ କାମନା କରିଥାନ୍ତି। ଆଶ୍ୱିନ ମାସ ପ୍ରତିପଦ ଠାରୁ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇ ମହାଳୟା ଅମାବାସ୍ୟା ଦିନ ଶେଷ ହୋଇ ଥାଏ।ଏହି ପକ୍ଷ (୧୫ଦିନ) କୁ ସେଥିପାଇଁ ଅପର ପକ୍ଷ ବା ପିତୃ ପକ୍ଷ ବୋଲି କୁହା ଯାଇଥାଏ। ଏହି ପକ୍ଷ ରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ (ପିଣ୍ଡ) ପ୍ରଦାନ କଲେ ପିତୃ ପୁରୁଷ ମାନେ ତୃପ୍ତ ହୋଇ ଥାଆନ୍ତି ବୋଲି ବିଶ୍ୱାସ ରହିଛି।ଏଥିପାଇଁ ପୁରୀ ଶ୍ରୀ କ୍ଷେତ୍ର ର ପଞ୍ଚ ତୀର୍ଥ ସହିତ ଭୁବନେଶ୍ଵର ର ବିନ୍ଦୁ ସାଗର ଓ ଯାଜପୁର ର ବୈତରଣୀ ଘାଟ, ପୁଣ୍ୟତୋୟା ପ୍ରାଚୀ ନଦୀ ର ଦ୍ଵାଦଶ ତୀର୍ଥ ସ୍ଥାନ ରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ,ପିଣ୍ଡ,ତିଳ ତର୍ପଣ ଅର୍ପଣ କରି ଥାନ୍ତି। ପିତୃ ପୁରୁଷ ମାନଙ୍କୁ ପିଣ୍ଡ ଦାନ କରିବା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହି ଆସିଛି କାହିଁ କେତେ କାଳରୁ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


