ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରେ ଆଜି ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହାସହ ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମ ଏହିଠାରେ ଜିଲ୍ଲାରେ ଆରମ୍ଭ କରିଛନ୍ତି ଗଂଜାମ ଜିଲ୍ଲାପ୍ରଶାସନ । ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ସହ ହାତଯୋଡି ପ୍ରାର୍ଥନା କରିଥିଲେ । ଏହାସହ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ନକରିବା ନିମନ୍ତେ ପିଲାମାନଙ୍କୁ ଶପଥ କରାଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ସୁନାଗରିକ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହାସହ ଜିଲ୍ଲାକୁ ଏକ ସବୁଜ ସୁନ୍ଦର ଗଢିବା ନିମନ୍ତେ ପିଲାଟିଏ ଗଛ ଟିଏ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ସଚେତନ କରିଥିଲେ । ପ୍ରତେକ ବିଦ୍ୟାର୍ଥୀ ସେମାନଙ୍କ ଘର ବାରିପଟେ କିମ୍ବା କୈାଣସି ସୁରକ୍ଷିତ ସ୍ଥାନରେ ଲଗାଇବା ନିମନ୍ତେ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଗଛ ଲଗାଇବା ସହ ଏହାର ସଠିକ୍ ଯତ୍ନ ନେବା ପାଇଁ ଜିଲ୍ଲାପାଳ କହିଥିଲେ । ଯେଉଁ ଛାତ୍ରଛାତ୍ରୀ ମାନେ ଗଛ ଲଗାଇ ତାହାର ସଠିକ୍ ଯତ୍ନ ନେବେ ସେମାନଙ୍କୁ ସାଟିଫିକେଟ୍ ସହ ପରୀକ୍ଷା ମାର୍କ ଦିଆଯିବ ବୋଲି ମଧ୍ୟ କହିଥିଲେ । ସ୍କୁଲ ପରିସରରେ ଜିଲ୍ଲାପାଳ ଗୋଟିଏ ବୃକ୍ଷ୍ୟରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଅନସ୍ଲୋ ଅନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ସାମଲଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।


