ପୁରୁଣା ଏଗ୍ରିମେଂଟରେ ଚାଲିଛି ପୋଲ ବାଡ ନିର୍ମାଣ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରୁ ଅରଖକୁଦକୁ ସଂଯୋଗ କରିବା ପାଇଁ ପୂର୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କରାଯାଇଛି । ଏହି ରାସ୍ତାର ଅବଦଲପୁର ନିକଟରେ ଗୋବରୀ ନଦୀ ଥିବାରୁ ପୂର୍ତ ବିଭାଗ ତରଫରୁ ଏହି ନଦୀ ଉପରେ ଏକ ପୋଲ ନିର୍ମାଣ କରାଯାଇଛି । ଉକ୍ତ ପୋଲର ବାଡ ବିପର୍ଯ୍ୟସ୍ତ ହୋଇଥିବା ବେଳେ ପୋଲର ଦୁଇପାଶ୍ୱର୍ରେ ନୂତନ ବାଡ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ବରାଦ କରାଯାଇଛି । କିନ୍ତୁ ବିଭାଗର ଯନ୍ତ୍ରୀ ରମେଶ ମିଶ୍ରଙ୍କ ସୂଚନା ମୁିତାବକ ଏହି ନୂତନ ବାଡା ନିର୍ମାଣ ପାଇଁ ଯେଉଁ ଠିକାଦାରଙ୍କ ସହ ଏଗ୍ରିମେଂଟ ହୋଇଥିଲା ତାହାକୁ କ୍ୟାନସେଲ କରାଯାଇଛି । ପୁନର୍ବାର ଏଗ୍ରିମଂଟ ହେବା ପରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ବିଭାଗ ଅଗୋଚରରେ କେଉଁ ଠିକାଦାର ଏହି ପୋଲର ବାଡା କାର୍ଯ୍ୟ ନିର୍ମାଣ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିମ୍ନମାନର ବାଡା କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଜୈନିକ ଠିକାଦାର ମନଇଚ୍ଛା ପୋଲ ବାଡା ତିଆରି କରି ବିଲ ହାତେଇବା ପାଇଁ ମସୁଧା ଚଳାଇ ଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷେ ନିମ୍ନମାନର କାର୍ଯ୍ୟ ଯୋଗୁ ପୋଲ ବାଡାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଡାର ଅଟକଳ ମୂଲ୍ୟ କେତେ ତାହା କୌଣସି ସୂଚନା ଫଳକରେ ଦର୍ଶାଯାଇ ନଥିବା ବେଳେ କୌଣସି ସୂଚନା ଫଳକ ମଧ୍ୟ ଲାଗି ନାହିଁ । ଏ ଦିଗରେ ଜିଲ୍ଲା ପ୍ରଶସାନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଏସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ କାର୍ଯ୍ୟ କରିବା ପାଇଁ କାହାକୁ ନିର୍ଦ୍ଦେଶ ଦିଆଯାଇନାହିଁ । ମନ ଇଚ୍ଛା ଠିକାଦାର କାର୍ଯ୍ୟ କରୁଛି । ତେଣୁ ଉକ୍ତ କାର୍ଯ୍ୟର ବିଲ କରାଯିବ ନାହିଁ ବୋଲି ପ୍ରକାଶ କରିଥିଲେ ।