କାଉଡ଼ିଆଙ୍କ ବର୍ଜ୍ୟସାମଗ୍ରୀର ଉପଯୁକ୍ତ ପରିଚାଳନା
ଭୁବନେଶ୍ୱର,(ଯୁଗାଦ୍ଧ ନ୍ୟୁଜ୍) : ସରୁଛି ଆଷାଢ଼ । ଆଉ ଦିନ ଦୁଇଟା ପରେ ଶ୍ରାବଣ ମାସ । ଶ୍ରାବଣର ପ୍ରତିଟି ସୋମବାର ଶିବାଳୟଗୁଡ଼ିକ କାଉଡ଼ିଆମାନଙ୍କ ଦ୍ୱାରା ମୁଖରିତ ହେବ । ଜଳଭାର ନେଇ କାଉଡ଼ିଆମାନେ ଦେବାଳୟ ମୁହାଁ ହେବେ । ଶିବଙ୍କୁ ଜଳାଭିଷେକ ପରେ ସେମାନେ ଫେରିଯିବା ପରେ ମନ୍ଦିର ଓ ଚତୁଃପାଶ୍ୱର୍ରେ ପ୍ଲାଷ୍ଟିକ, ଜରି ମୁଣା, ଦଉଡ଼ି, ବାହୁଙ୍ଗୀ ସମେତ ବାସି ଫୁଲର ବର୍ଜ୍ୟ ଜମା ହେବ । ସେମାନେ ବାହୁଙ୍ଗୀ ଓ ଶିକାରେ ଆଣିଥିବା ଜଳ କଳସୀର ଦଉଡ଼ିକୁ କାଟିବା ପାଇଁ ବ୍ୟବହାର କରୁଥିବା ବ୍ଲେଡ୍ ମନ୍ଦିର ପରିସରରେ ଇତଃସ୍ତତଃ ଫୋପଡା ଯାଉଥିବାରୁ ପରବର୍ତ୍ତୀ ସମୟରେ ବିପଦ ଘଟିବାର ସମ୍ଭାବନା ଥାଏ । ବର୍ଜ୍ୟ ସଫା କରୁଥିବା ବେଳେ ଲିଙ୍ଗରାଜ ମନ୍ଦିରରେ ସ୍ୱେଚ୍ଛାସେବୀମାନଙ୍କ ହାତରେ ବ୍ଲେଡ୍ ବାଜି ହାତ କଟିଥିବା ଭଳି ଘଟଣା ଅନେକଥର ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଶ୍ରାବଣୀ ଭାର ନେଇ ଆସୁଥିବା ଭକ୍ତମାନଙ୍କୁ ସହଯୋଗ କରିବା ସହିତ ମନ୍ଦିରକୁ ବିପଦ ସଙ୍କୁଳତାରୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ ଡଷ୍ଟବିନ୍ ମନ୍ଦିର ପରିସରରେ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବା ଉଚିତ୍ । ପ୍ଲାଷ୍ଟିକ୍ କଳସ, ଜରିମୁଣା, ମାଦକଦ୍ରବ୍ୟ ଓ ବ୍ଲେଡ୍ର ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ ହେଉ । ଲିଙ୍ଗରାଜ ମନ୍ଦିର ନିକଟରେ ଭାରିଜାନ ଚଳାଚଳ ନିୟନ୍ତ୍ରଣ ସାଙ୍ଗକୁ ଡଷ୍ଟବିନର ବ୍ୟବହାର ସମ୍ପର୍କିତ ସୂଚନା ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଉ । ଲିଙ୍ଗରାଜ ମନ୍ଦିର ଭିତରକୁ କୌଣସି ପ୍ରକାର ଧାରୁଆ ଅସ୍ତ୍ର ଯେପରି ପ୍ରବେଶ ନକରେ ସେ ଦିଗରେ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ସୁଶାନ୍ତ ସାହୁ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଏକ ପ୍ରେସ୍ ବିବୃତ୍ତିରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।