ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ରାଜ୍ୟର ପ୍ରଥମ ଟ୍ରି ବ୍ୟାଙ୍କ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ପାଇଁ ସମୁଦ୍ରିକ ଝଡ଼, ବାୟୁ, ଜଳ ଓ ମୃତ୍ତିକା ଆଦି ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଗଛର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ ଦୃଷ୍ଟିକୋଣରୁ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଗଛ ଯୋଗାଇ ଦେବା, ମଞ୍ଜି ଯୋଗାଇ ଦେବା ଓ ଯୁବବର୍ଗଙ୍କ ଭିତରେ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ଗୀତଗୋବିନ୍ଦ ପରିସରରେ ରାଜ୍ୟର ପ୍ରଥମ ଟ୍ରି ବ୍ୟାଙ୍କ, ସିଡ୍ ବ୍ୟାଙ୍କ ଉଦ୍ଘାଟିତ ହେବା ପରେ ଏକ ବିଶାଳ ଯୁବ ଶୋଭାଯାତ୍ରା ସେଠାରୁ ବାହାରି ବୃକ୍ଷରୋପଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଭୁବନେଶ୍ୱର ସହର ପରିକ୍ରମା କରିଥିଲେ । ଏହି ଟ୍ରି ବ୍ୟାଙ୍କ, ସିଡ୍ ବ୍ୟାଙ୍କ ଓ ଶୋଭାଯାତ୍ରାକୁ ଉଦ୍ଘାଟନ କରି ଏହି ଅବସରରେ ଆୟୋଜିତ ଉତ୍ସବରେ ରାଜ୍ୟ ଜଙ୍ଗଲ, ପରିବେଶ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ବକ୍ତବ୍ୟ ପ୍ରଦାନ କରି କହିଲେ, ବର୍ତ୍ତମାନ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିରେ ଜନସାଧାରଣଙ୍କର ଯେତେ ସମ୍ପୃକ୍ତି ରହିବ ଜଙ୍ଗଲ ସୃଷ୍ଟି ହେବାରେ ସେତେ ସହାୟକ ହେବ । କାରଣ ବୃକ୍ଷରୋପଣ ପ୍ରତି ଆମ୍ଭେମାନେ ଉପଯୁକ୍ତ ଧ୍ୟାନ ନଦେଲେ ଆଗାମୀ ଦିନର ସମାଜ ବହୁ ବିପଦର ସମ୍ମୁଖୀନ ହେବ । ତେଣୁ ଆମ ରାଜ୍ୟରେ ପ୍ରଥମ କରି ପ୍ରେରଣା ଗ୍ରୀନ୍ ଆର୍ମି ଟ୍ରି ବ୍ୟାଙ୍କ ଓ ସିଡ୍ ବ୍ୟାଙ୍କ ଖୋଲି ଅତ୍ୟନ୍ତ ମହତ୍ ପଦକ୍ଷେପ ନେଇଛି । ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ଯେ, ଆମ୍ଭେମାନେ ଲୋକ ଦେଖାଣିଆ ଭାବେ ବୃକ୍ଷ ରୋପଣ ନକରି ଗଛଟିଏ ଲଗାଇ ତାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିବା ଆବଶ୍ୟକ । କାରଣ ବର୍ତ୍ତମାନ ଲଣ୍ଡନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାରୁ ସେଠାକାର ଜନସାଧାରଣ ଅତ୍ୟନ୍ତ ଦୁର୍ବିସହ ଜୀବନଯାପନ କରୁଛନ୍ତି । ଆମ୍ଭେମାନେ ଏହାର ପରିଣାମ ଅଙ୍ଗେ ନିଭେଇଛେ । କେତେବେଳେ ମହାବାତ୍ୟା, ବାତ୍ୟା, ହୁଡ୍ହୁଡ୍, ଫାଇଲିନ୍, ଇଅସ ଆଦି ସାମୁଦ୍ରିକ ଝଡ଼ ଆସି ଆମକୁ ଏତେମାତ୍ରାରେ ହନ୍ତସନ୍ତ କରିଛି ଯେ, ସେତେବେଳେ ଆମେ ଉପଲବ୍ôଧ କରିପାରିଛେ । ବିଗତ କରୋନା ବେଳେ ଅମ୍ଲଜାନର ଅଭାବ ଆମ୍ଭେମାନେ ଅଙ୍ଗେ ନିଭେଇଛେ । ଏ ଦୃଷ୍ଟିରୁ ବୃକ୍ଷରୋପଣ ପ୍ରତି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଟ୍ରି ବ୍ୟାଙ୍କ ଓ ସିଡ୍ ବ୍ୟାଙ୍କ ଖୋଲାଯିବା ଏକ ମହତ୍ ପଦକ୍ଷେପ । ଏହି ଉତ୍ସବରେ ସଭାପତିତ୍ୱ କରି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ବୃକ୍ଷରୋପଣ କେବଳ ବର୍ତ୍ତମାନ ପୀଢି ପାଇଁ ନୁହେଁ, ଆଗାମୀ ପୀଢି ପାଇଁ ଜୀବନବୀମା ପରି କାଯ୍ୟ କରିବ । ଅଭିଭାବକମାନେ ଏବେଠାରୁ ବ୍ୟାପକ ବୃକ୍ଷରୋପଣ ନକଲେ ବେଜିଂ, ଦିଲ୍ଲୀ ଆଦି ସହର ପରି ଆମ ରାଜ୍ୟରେ ଅକ୍ସିଜେନ ପାର୍ଲର ଖୋଲାଯିବା ସହ ଆମ ପିଲାମାନେ ଆଗାମୀ ଦିନରେ ସଫା ପାଣି ବୋତଲ ସହ ଅକ୍ସିଜେନ୍ ଥଳି ଧରି ସ୍କୁଲ୍, କଲେଜକୁ ଯିବେ । ତେଣୁ ପ୍ରେରଣା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଟ୍ରି ବ୍ୟାଙ୍କ ଓ ସିଡ୍ ବ୍ୟାଙ୍କ ଖୋଲାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରାଜ୍ୟର ୩୦ଗୋଟି ଜିଲ୍ଲାରେ ଖୋଲାଯିବ । ଯେଉଁମାନେ ନିଜ ଘରେ ଆମ୍ବ, ପଣସ ଆଦି ଖାଇ ମଞ୍ଜି ଫୋପାଡ଼ି ଦେଉଛନ୍ତି କିମ୍ବା ଘର ପାଖରେ ଥିବା ଜାମୁକୋଳି, ନିମ୍ବଗଛରୁ ଝଡ଼ି ପଡ଼ିଥିବା ମଞ୍ଜିକୁ ସଂଗ୍ରହ କରି ସେମାନେ ସିଡ୍ ବ୍ୟାଙ୍କରେ ଜମା ଦେଲେ ଆମେ ତାକୁ ନେଇ ଜଙ୍ଗଲ ଓ ପାହାଡ଼ ତଳି ଅଞ୍ଚଳରେ ପକାଇ ଗଛ ସୃଷ୍ଟି କରିବା ନିମନ୍ତେ ଉଦ୍ୟମ କରିବୁ । ଏହି ଉତ୍ସବରେ ଓଟିଡ଼ିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ମେଜର କଳ୍ପନା ଦାସ, ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର ଡ଼େପୁଟି କମାଣ୍ଡାଣ୍ଟ ଇନ୍ ଚିଫ ଓ ରୋଟାରି କ୍ଲବ ସମୂହର ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ତୃପ୍ତି ମିରାମ୍ବିକା ସାହୁ, ସବିତା କର, ସମାଜସେବୀ ସ୍ମିତା ଭ୍ରମରବରରାୟ, ଲିପ୍ସା ମହାନ୍ତି, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ମିଲନ କୁମାର ପ୍ରମୁଖ ଅତିଥି ରୂପେ ଯୋଗଦେଇ ବ୍ୟାପକ ବୃକ୍ଷ ରୋପଣ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଟ୍ରି ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ ସମ୍ପାଦନ କରିବାର ଦାୟିତ୍ୱ ଶ୍ରୀ ନିଲୁ ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।