‘ଫଣୀ’ର ଫୁତ୍କାର ପରେ ରାଜନୀତିର ରେରେକାର!

ପ୍ରଳୟଙ୍କର ‘ଫଣୀ’ ଯେତେବେଳେ ତାର ଭୟଙ୍କର ପିଶାଚ ଆଖି ଓ ଲହ୍ଲହ୍ ଜିହ୍ୱାରେ ବାରୋଟି ଜିଲ୍ଲାକୁ ଚାଟିନେଇ ଧ୍ୱସ୍ତବିଧ୍ୱସ୍ତ କରିନେଲା-ସେତେବେଳେ ସବୁକିଛି ଛାରଖାର ହୋଇଗଲା । ବିଜୁଳି କଟିଗଲା, ଟେଲିଫୋନ୍, ଇଂଟରନେଟ୍, ମୋବାଇଲ୍ ସେବା ବନ୍ଦ ହୋଇଗଲା । ଅଧା ଓଡିଶା ଅନ୍ଧାର । ଘନଘୋର ବର୍ଷା – ବିଜୁଳି – ଘଡଘଡିରେ ଅବସ୍ଥା ଅସମ୍ଭାଳ । ରସ୍ତାଘାଟରେ ଗଛ ପଡି ଯାତାୟତ ଠପ୍ । ଗାଁ ସହର ବୁଡିଲା । ବାହାର ଦୁନିଆରୁ ପୁରୀ ସହର ବିଚ୍ଛିନ୍ନ ହୋଇଗଲା । ରାଜପଥ ଜଳାର୍ଣ୍ଣକ । ଛିନ୍ଛତ୍ର ଗାଁ ଗଣ୍ଡା, ସହର ବଜାର ଚାରିଆଡେ । ସବୁଠି ହାହାକାର । ଭୂଷୁଡି ଯାଇଛି ସ୍ୱପ୍ନର ବାଲିଘର । ସବୁଠି ସ୍ୱପ୍ନ ହୃଦୟ ଭଗ୍ନ । ବାହୁନୁଚି ଓଡିଶାଭୁଁଇ । ଭୋକରଭୂଗୋଳ ଦୁଃଖିନୀ ଓଡିଶା ଫଣୀର ରାହୁଗ୍ରାସରେ ମୁମୁର୍ଷୁ, ଖାଁ ଖାଁ ଗାଁ, ସବୁ ସମସାନ, ସବୁ ଶୂନ୍ଶାନ, ଚାରିଆଡେ କୁଢକୁଢ ଗଛର କଙ୍କାଳ, ଜଡର ଜଠର ଝୁପୁଡି- ସବୁ ଆଜି ପଡିଛି ଉପୂଡି । ବିଷର୍ଣ୍ଣ ବର୍ତମାନ-ବିପନ୍ନ ଭବିଷ୍ୟତ – ଅର୍ଥନୀତି ବିପର୍ଯ୍ୟସ୍ତ । ସବୁତ ଲାଗୁଛି ଅସାର-ତଥାପି ସରିନି ସଂସାର! ପଲ୍ଲବହୀନ ଆଜି ଏ ପଲ୍ଲୀ – ଝାଉଁଳି ଯାଇଛି ଜୀବନ ମଲ୍ଲୀ ! ସବୁ ଧ୍ୱସ୍ତ-ସବୁ ଅସ୍ତ!

୧୯୯୯ ରୁ ୨୦୧୯ କେତେ ତଫାତ୍ ? ୨୦ ବର୍ଷ । ଏଥିରୁ ୧୯ ବର୍ଷ ନବୀନ ବାବୁ ମୁଖ୍ୟମନ୍ତ୍ରୀ । କେବେବି ମନରୁ ଦି’ପଦ କଥା କହିନାହନ୍ତି । ଓଡିଆ କହିନାହାଁନ୍ତି କି, ଓଡିଆ ଶଦ୍ଦ ଶିଖି ନାହାନ୍ତି କି, ସଠିକ୍ ବାକ୍ୟଟିଏ ଏଯାବତ୍ କହିପାରନ୍ତିନାହିଁ, । ଇଂରାଜି ରୋମାନ ଅକ୍ଷରରେ ଯାହା ଅଫିସର ମାନେ ଲେଖିଦିଅନ୍ତି ତାକୁ ନବୀନ ବାବୁ ହାସ୍ୟସ୍ପଦ ଭଙ୍ଗିମା ସହ ଭୁଲ୍ଭାଲ୍ ପଢନ୍ତି । ପୃଥିବୀରେ ଏମିତି କୌଣସି ଶାସକ ନାହାନ୍ତି, ଯିଏ ନିଜ ମାତୃଭାଷା ଜାଣନ୍ତି ନାହିଁ । ନବୀନ ବାବୁ ଏକମାତ୍ର ଆଶ୍ଚର୍ଯ୍ୟ । ତାଙ୍କ ଅଶୁଦ୍ଧ ଖଣ୍ଡି ଓଡିଆ ଦି’ପଦ ଶୁଣି ଥୋକେ ଓଡିଆଏ ମୁଗ୍ଧ? ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଶାସନ ଡୋରି ଧରିଛନ୍ତି କେବଳ କେଇଟି ଆଇ.ଏ.ଏସ୍., ଆଇ.ପି.ଏସ୍. ଗୋଷ୍ଠୀକୁ ଭରଷା କରି । ଚଳେଇ ଆସିଛନ୍ତି ଦରବାରି ରାଜନୀତିର ଦରିଆରେ ଦଦରା ନାଆ । କୌଣସି ଦଳୀୟ ନେତା କିମ୍ବା ବିରୋଧୀ ଦଳକୁ ଆଦୌ ବିଶ୍ୱାସ କିମ୍ବା ଖାତିର କରୁନଥିଲେ ବି ଅଫିସରଙ୍କ ବୁଦ୍ଧିରେ ଲୋକଙ୍କୁ ରାଜକୋଷରୁ ମାହାଳିଆ ଖୋଇ ଖୋଇ ମାଗିଖିଆ ବନେଇ ଦେଇଛନ୍ତି । ଦଳୀୟ କର୍ମୀ ନେତା, ଅଫିସର ବ୍ୟବସାୟୀ ଠିକାଦାର ରାଜକୋଷକୁ ଚଳୁକରିବାରେ ଲାଗିଛନ୍ତି ।

ବିପଦବେଳେ ସବୁ ଧରାପଡିଯାଏ । ‘ଫଣୀ’ର ପ୍ରଚଣ୍ଡ ପ୍ରହାରରେ ଆମ ମୂଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୂକ ପାଲଟିଗଲେ ଏବଂ ତାଙ୍କୁ ୧୯ ବର୍ଷ ହେଲା ଚଳେଇ ଆସୁଥିବା ଅଧିକାରୀମାନଙ୍କ ମୁଣ୍ଡକୁ ମଧ୍ୟ ବୁଦ୍ଧି ଜୁଟିଲାନି । ଏଣେ ବାରଟି ଜିଲ୍ଲାର କଲେକ୍ଟର୍, ଏସ୍.ପି ପ୍ରଳୟଙ୍କର ମହାବାତ୍ୟାରେ ଘରୁ ବାହାରି ପାରିଲେନାହିଁ । ସବୁ ଚୁପ୍ଚାପ୍ । ଟେଲିଫୋନ୍, ଇନ୍ଟରନେଟ୍ ସେବା ବ୍ୟାହତ, ସ୍ୱତନ୍ତ୍ର ରିଲିଫ୍ କମିଶନର୍, ଅଧିକାରୀମାନଙ୍କ ମଧ୍ୟରେ ଅସମ୍ଭବ ନିରବତା । ତଥ୍ୟ ନାହିଁ-କଣ କହିବୁ ବୋଲି ହାତ ଟେକି ଦେଇଥିଲେ । ମଇ ୦୧ ଓ ୦୨ ତାରିଖରେ ଏମିତି ପ୍ରଚାର କଲେଯେ- ସତେ ଯେମିତି ଓଡିଶା ସରକାର ଦେଶପ୍ରେମୀ, ଜନପ୍ରେମୀ, ବିପଦର ସାଥୀ, ଲୋକଙ୍କ ପାଇଁ କଣ୍ଠ ଫଟାଇ କାନ୍ଦୁଛନ୍ତି । ବଛାବଛା ଆଇ.ଏସ୍.ଏ, ଆଇ.ପି.ଏସ୍. ଅଫିସରଙ୍କୁ ୧୨ ଟି ଜିଲ୍ଲା ଦାୟିତ୍ୱ ଦେଲେ । ପାଖାପାଖି ୭୦ ବରିଷ୍ଠ ଅଫିସର ନିଯୁକ୍ତି ପାଇଲେ । ତିନିଜଣ ସିନିୟର୍ ଅଫିସରଙ୍କୁ ଦାୟିତ୍ୱ ଦିଆଗଲା ଯେ, ସେମାନେ ପ୍ରତି ମୂହୁର୍ତରେ ଟିକି ନିକି ଖବର ଲୋକଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇବେ । ଆଛା! ଯଦି ଟିଲିଫୋନ ଇନ୍ଟରନେଟ୍ ସେବା ବନ୍ଦ ହୋଇଗଲା ବୋଲି ଖବରଖୁବୁରା ପାଇଲେ ନାହିଁ ତା’ ହେଲେ ସାଟେଲାଇଟ୍ ଫୋନ୍ କେଉଁ କାମରେ ଲାଗିଲା ? କେନ୍ଦ୍ର ସରକାର ୩୪୦ କୋଟି ଟଙ୍କା ଆଗତୁରା ସାହାଯ୍ୟ ଦେଇଦେଲେ । ଏଣେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠି ଥୁଆ ହୋଇଛି । ସେ ଟଙ୍କା ଉପରେ ଆଖି ଲାଖି ରହିଲାକି! ଠିକ୍ ଭୟଙ୍କର ବିପଦ ବେଳେ ଏମାନେ ମୂକ ପାଲଟି ଗଲେ! ଏଣେ ପାଣିପାଗ ଅଫିସ, ଆକାଶବାଣୀ କଟକ କେନ୍ଦ୍ର, ଅଧିକାଂଶ ଟି.ଭି. ଟାୱାର ଭୁସୁଡି ପଡିଲା । ଖବର ପ୍ରସାରଣ ବାଧାପ୍ରାପ୍ତ । ଏବେବି ଯୋଗାଯୋଗ ବିଚ୍ଛିନ୍ନ । ଭୁବନେଶ୍ୱର, ପୁରୀ, କଟକ ଅବସ୍ଥା ଅବର୍ଣ୍ଣନୀୟ । ଭୁବନେଶ୍ୱରିଆ ପାଣି, ବିଜୁଳି ପାଇଁ ଡହଳବିକଳ । ଓଡିଶାର ମୁଣ୍ଡ ରାଜଧାନୀଆବାସୀଙ୍କୁ ପ୍ରଚଣ୍ଡ ପାହାର । ସବୁହେବ ଗୋଳମାଳ ।

ମଇ ୦୪ ତାରିଖ ଶନିବାରରେ ସକାଳୁ ସକାଳୁ ‘ଫଣୀ’ ତାର ତାଣ୍ଡବ ନୃତ୍ୟ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଦା, ନୟାଗଡ, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଯାଜପୁର, ମୟୁରଭଂଜ,ଭଦ୍ରକ, ବାଲେଶ୍ୱର ପ୍ରମୁଖ ଜିଲ୍ଲାରେ ଖେଳାଲୀଳା ସାରି ବଙ୍ଗଳାଦେଶରେ ତାଣ୍ଡବଲୀଳା ରଚନା କରି ଧନଜୀବନ ହାନି କରିବାରେ ଲାଗିଛି । ପ୍ରକୃତିର କରାଳ ରୂପ ଆଗରେ ବିଜ୍ଞାନର କରାମତି ଅଚଳ । ଆମେ ମଣିଷ ଛାର ମାତ୍ର! ଆମର ଗର୍ବ ଅଂହକାର-ଆମେ ପ୍ରକୃତିକୁ ଧ୍ୱଂସ କରିବା-କିଏ ଆମର କଣ କରିବ? ପ୍ରକୃତି ଟିକିଏ କଡଲେଉଟାଇଲେ ଆଖି ପିଛୁଳାକେ ଭୂମିକଂପ, ସୁନାମି, ବନ୍ୟା, ଅଗ୍ନିଉଦ୍ଗିରଣ ହୋଇ ଜଗତକୁ କ୍ଷଣିକେ ହତଚକିତ କରିଦେବ । ସେ ବେଳ କଣ ସତରେ ଆସିଗଲାଣି!
‘ଫଣୀ’ ର ଫୁତ୍କାର ପରେପରେ ସରକାରଙ୍କ ଅସଲ ଚେହେରା ପୂର୍ବରୁ ଭୟାବହ ପ୍ରଚାର । ମୁଖ୍ୟମନ୍ତ୍ରୀ କହିଲେ ଭୟ କରନ୍ତୁ ନାହିଁ । ପରେ କିନ୍ତୁ ଦେଖାଗଲା- ଚାରିଆଡେ ଭୟର ବାତାବରଣ । ବାତ୍ୟା ଆଶ୍ରୟସ୍ଥଳରେ ବାପ ମାଆ କେହି ନାହାନ୍ତି । ବିଜୁଳି ପାଣି ନାହିଁ । ସଫାସୁତରା ନାହିଁ । ବିପନ୍ନକୁ ଚୂଡା ବିସ୍କୁଟ୍ ବି ଠିକ୍ ସମୟରେ ଦିଆହେଲାନି । ଲୋକେ ଭୋକବେଳେ ଚୂଡା ମୁଠେ ପାଇଲେ ନାହିଁ । ବ୍ରହ୍ମପୁର ଭଳି କେତେକ ସ୍ଥାନରେ ଆଶ୍ରୟସ୍ଥଳରେ ବାସୀଚୂଡା ଉପମା, ଦରସିଝା ଭାତ ଡାଲମା, ଖାଦ୍ୟ ପୁଡିଆରେ ଅଖାଦ୍ୟ ଅଧାସିଝା ଚାଉଳ, ପଲଉ ଦିଆଯିବାରୁ ଲୋକେ ଖାଇଲେନି ଖୋପାଡିଲେ । ଯେଉଁମାନେ ଚୂଡା, ବିସ୍କୁଟ୍, ରନ୍ଧା ଖାଦ୍ୟା ଯୋଗାଣରେ ଥିଲେ ଘୋର ବିପଦ ବେଳେ ଅତ୍ୟଧିକ ଲାଭ ଲୋଭ ମୋହରେ ପଡି ଲୋକଙ୍କ ମୁହଁରେ ଆହାର ନଦେଇ ପାହାର ଦେଲେ । ବର୍ତମାନ ଓଡିଶା ଶାସନରେ ଦିଅଁ ଖାଇସାରି ଖଟୁଳି ଖାଇବାର ଅଭିସନ୍ଧି ଆରମ୍ଭ ହୋଇଯାଇଛି । ଏବେ ମହାବାତ୍ୟା ଟଳିଲା ସିନା, ପୁଣି ମାଡିଆସୁଛି ରାଜନୀତିର ଘୂର୍ଣ୍ଣିବାତ୍ୟା । ଏ ବାତ୍ୟା ‘ଫଣୀ’ଠୁ ବି ଭୟଙ୍କର । ‘ଫଣୀ’ ପ୍ରଳୟ ବେଳେ ନବୀନ ବାବୁ ପ୍ରଶାସନ ସିନା ଘରୁ ବାହାରିପାରିଲେ ନାହିଁ । ଏବେ କ୍ଷୟକ୍ଷତି ହିସାବ ଚାଲିବ । ଭୋଟ ଗଣା ହେବା ସାଙ୍ଗକୁ ନୋଟ୍ ଗଣା ହେବ । କେନ୍ଦ୍ରରୁ ଆଉ କେତେ ଶହ କୋଟି ଟଙ୍କା ଆଣି ଓଡିଶା ପାଣ୍ଠି ଟଙ୍କା ମିଶାଇ ‘ମାଙ୍କଡ’ ମାନେ ବିଲେଇକୁ ପିଠା ବାଟିଂବା ଭଳି ଚଳୁ କରିଦେବେ । ନିର୍ବାଚନ କମିଶନ ମଧ୍ୟ ମଇ ୨୩ ତାରିଖ ପର୍ଯ୍ୟନ୍ତ ଥିବା ଆଚରଣ ବିଧିକୁ ୧୧ ଟି ଜିଲ୍ଲାରୁ ପ୍ରତ୍ୟାହାର କରିନେଲେଣି । ମୂଖ୍ୟମନ୍ତ୍ରୀ ନବୀନ ବାବୁ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ପାଖରେ ପାଟକୁରା ନିର୍ବାଚନକୁ ବନ୍ଦକରିବାକୁ ଗୁହାରି କରିଛନ୍ତି । ବନ୍ଦ ହେବ କି ନାହିଁ ଜଣା ପଡିନାହିଁ । ଏବେ ନେତା ଅଫିସରଙ୍କ ପୁଷମାସ : ଫଣୀ ବିପର୍ଯ୍ୟସ୍ତଙ୍କ ସର୍ବନାଶ ।

ନବୀନ ପଟ୍ଟନାୟଙ୍କକୁ ମୁଁ ନିର୍ଦ୍ଦେଶ କି ପରାମର୍ଶ ଦେଉନାହିଁ । କାରଣ ସେ କାହାର ପରାମର୍ଶ ନିଅନ୍ତି ନାହିଁ – କେବଳ ଦଳେ କୂଚକ୍ରୀ ଗୋଷ୍ଠିଙ୍କ ଛଡା । ଜଣେ ନାଗରିକ ଭାବେ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ମୋର କିନ୍ତୁ ପ୍ରଶ୍ନ ପଚାରିବାର ଅଧିକାର ଅଛି । ନବୀନ ପଟ୍ଟନାୟକ ଓଡିଶାର ପରିଚୟ ନୁହଁନ୍ତି – ନବୀନ ପଟ୍ଟନାୟକ ମଧ୍ୟ ବିଜୁ ପଟ୍ଟନାୟକ ନୁହଁନ୍ତି – ବିଜୁବାବୁଙ୍କ କୌଣସି ଗୁଣ ନବୀନବାବୁଙ୍କ ପାଖରେ ନାହିଁ । ଯେହେତୁ ଓଡିଶା ଲୋକେ ବିଜୁବାବୁଙ୍କୁ ଭଲପାଉଥିଲେ – ସେ’ଭଲପାଇବାର ସୁଯୋଗନେଇ ବିଜୁବାବୁଙ୍କ ନାଁରେ ଦଳ ଗଠନକରି ସବୁଠି ବିଜୁଯୋଜନାକରି ଲୋକଙ୍କୁ ଭୁତେଇବାରେ ଲାଗିଛନ୍ତି । ନିର୍ବାଚନବେଳେ ତାଙ୍କ ଉଚ୍ଚାରଣ, ଆଚରଣରୁ ସବୁ ବାରିହୋଇପଡୁଥିଲା । ମିଛୁଟାରେ ନବୀନବାବୁ ସାଢେ ୪କୋଟି ଓଡିଶାବାସୀ ତାଙ୍କ ପରିବାରବୋଲି କୋଟିକୋଟି ଟଙ୍କା ରାଜକୋଷ ବରବାଦ୍କରି ପ୍ରଚାର ଚଳାଇଛନ୍ତି । ଯେତେ ଯାହା ଠକାଠକି, ଭୁତାଭୁତି ଥିଲା ସବୁ ଷ୍ଟକ୍ ସରିଆସିଲାଣି । ଯେଉଁ ନବୀନବାବୁ ଦୁର୍ନୀତିର ସାମାନ୍ୟ କାଳିଦାଗ ଲାଗିଲେ ଗଣ୍ଡାଗଣ୍ଡା ମନ୍ତ୍ରୀଙ୍କ ମୁଣ୍ଡଛେଦନ କରିଛନ୍ତି, ସେଇ ନବୀନବାବୁ ୨୦୧୯ ନିର୍ବାଚନରେ ଦୁର୍ନୀତି, ଚୋରି, ଡକାୟତୀ, ଧର୍ଷଣ, ହତ୍ୟାଭଳି ଅଭିଯୋଗରେ ଗୋଟାପଣି କାଳିବୋଳିହୋଇଥିବା କଂସେଇମାନଙ୍କୁ ନିର୍ବାଚନରେ ଠିଆ କରେଇଦେଇଛନ୍ତି । ଏହାର ଭିତିରି ଉଦ୍ଦେଶ୍ୟ ହେଲା ନବୀନବାବୁ ଯେତେବେଳେ କୋଇଲାମନ୍ତ୍ରୀ ଥିଲାବେଳେ ଆଦୌ ପଞ୍ଜୀକୃତ ହୋଇନଥିବା ଏକ ସଂସ୍ଥାକୁ କୋଇଲାଖଣି ଆବଂଟନ କଲେ, ଏହି ଘୋଟେଲାର ତଦନ୍ତ ସି.ବି.ଆଇ. ଆରମ୍ଭ କରିଦେଲା । ଏବେ ମଧ୍ୟ ନବୀନବାବୁ ସି.ବି.ଆଇ. ସ୍କାନର୍ରେ । ସେ ଯେତେବେଳେ ନିଜେ ଦୁର୍ନୀତିରେ ଲିପ୍ତ, ନିଜ ମୁଣ୍ଡକୁ ନିଜେ ଛେଦନ କରିବା କଥା – ସେତେବେଳେ ‘ତୁ ତ ମୁତୁରି, ମୁଁ ତ ମୁତୁରି ହେଁସ କାହିଁପାହିଁ ଧୋଇବା’ ନ୍ୟାୟରେ ଦଳେ କୁଚକ୍ରୀ ମହାଦୁର୍ନୀତିଗ୍ରସ୍ତ ନେତା, ଅଫିସର ନବୀନବାବୁଙ୍କୁ କୁମନ୍ତ୍ରଣାଦେଇ, ବାଧ୍ୟକରାଇ, ଭୟଦେଖାଇ, ଧମକାଇ ସବୁ ଦୁର୍ନୀତିର କାଳିବୋଳାଲୋକ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଗଲେ ।

ଆଉ ଓଡିଶାବାସୀଙ୍କୁ ଠକନ୍ତୁ ନାହିଁ । ବହୁତ ହୋଇଗଲା । ଏବେ ପାପର ପ୍ରାୟଶ୍ଚିତ ବେଳ । ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି । ଏହି କେତୋଟି ଦିନ ଭିତରେ ‘ଫଣୀ’ ପାଇଁ କେନ୍ଦ୍ର ଓ ରାଜ୍ୟରୁ ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ ହେବାକୁ ଯାଉଛି ସେଥିରୁ ଗୋଟିଏ ଟଙ୍କା ବାଟମାରଣା କି ଲାଂଚ (ପି.ସି.) ନେଲେ ନେତା ଅଫିସରଙ୍କୁ ଲୋକେ ବରଦାସ୍ତ କରିବେ ନାହିଁ । ଓଡିଆ ଲୋକେ ସରଳ-ନିରୀହ । ମାତ୍ର ସେମାନେ ଥରେ ରାଗିଲେ କାହାରି ନୁହଁନ୍ତି । ସେମାନେ ରାଗିଲେଣି, ମାତିବାକୁ ବେଶି ସମୟ ଲାଗିବ ନାହିଁ । ରାଜକୋଷ ଲୁଟେରା, ଦେଶଦ୍ରୋହୀ ମାନଙ୍କୁ , ରାସ୍ତା ଘାଟ ଅଫିିସ୍ ଦପ୍ତରରେ ଗୋଡେଇ ଗୋଡେଇ ବାଡେଇବେ । କେବଳ ମହାବାତ୍ୟାବିପନ୍ନ ନୁହଁନ୍ତି – ଶ୍ରମିକ, କର୍ମଚାରୀ, ଚାଷୀ ମୂଲିଆ,ଯୁବ, ଛାତ୍ର, ମହିଳା, ଶିକ୍ଷାବିତ୍ ସମସ୍ତେ ଆଜି ପ୍ରତାରିତ, ନିର୍ଯାତିତ, ଶୋଷିତ, ଅପମାନିତ । ସମସ୍ତେ ଯେତେବେଳେ ଏକାଠି ହୋଇ ହାତ ଉଠେଇବେ-ଯେତେ ବଡ ନେତା, ମନ୍ତ୍ରୀ , ଅଫିସର, ଶାସକ, ପ୍ରଶାସକ କେହି ଛାଡ ପାଇବେ ନାହିଁ । ଏବେ ବେଳ ଖରାପ-କାଳ କାହାର କବଳିତ ନୁହେଁ – ସମସ୍ତେ କାଳ ଆଗରେ ଉତରଦାୟୀ ।

ମାୟାଧର ନାୟକ

ଯାଜପୁର ରୋଡ, ଯାଜପୁର
ମୋ- ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ