୫-ଟି, ଗସ୍ତ କାର୍ଯ୍ୟସୂଚୀ ପ୍ରଦାନ ନକଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) ଜିଲ୍ଲାର ସମସ୍ତ ଅଧିକାରୀ ସେମାନଙ୍କର ଗସ୍ତ କାର୍ଯ୍ୟ ସୂଚୀ ଫାଇବ୍-ଟି ନୋଡାଲ ଅଫିସରଙ୍କ ନିକଟରେ ୧୫ଦିନ ବ୍ୟବଧାନରେ ଦାଖଲ କରିବେ । ସେହିପରି କର୍ମଚାରୀ ମାନଙ୍କର ବାଇମେଟ୍ରିକ ଉପସ୍ଥାନ ଫାଇବ-ଟି ନୋଡାଲ ଅଫିସରଙ୍କ ନିକଟରେ ଦାଖଲ ହେବ । ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ପ୍ରକାଶ କରିଥିଲେ । ଗଂଜାମ ଜିଲ୍ଲାପରିଷଦ ଋଷିକୂଲ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଫାଇବ-ଟି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କାର୍ଯ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯେଉଁ ସବୁ କାର୍ଯ୍ୟାଳୟ ଉପଯୁକ୍ତ ସଫା ସୁତରା ରହୁଛି । ଅନ୍ୟମାନେ ସେଥିରେ ଅନୁପ୍ରାଣିତ ହେବାପାଇଁ କହିଥିଲେ । ବିଜ୍ଞାପିତ ଅଞ୍ଚଳ ଗୁଡିକରେ ସର୍ବସାଧାରଣ ଅଳିଆ ଡବା ଦ୍ୱାରା ପରିବେଶ ଦୂଷୀତ ହେଉଥିବାରୁ ଏଗୁଡିକ ପର୍ଯ୍ୟାୟକ୍ରମେ ଅପସାରଣ କରାଯିବ । ସମସ୍ତ ଅଳିଆ ଗାଡିରେ ଉଠାଇ ସିଧା ନିରୂପିତ ସ୍ଥାନରେ ଫିଙ୍ଗିବା ପାଇଁ କୁହାଯାଇଛି । ଗ୍ରାମ ପଞ୍ଚାୟତ ଗୁଡିକର ସ୍ୱଚ୍ଛତା ଅନୁଧ୍ୟାନ କରି ସେମାନଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ୧୬ଗୋଟି ପଏଣ୍ଟ ଧାର୍ଯ୍ୟ କରାଯାଇଛି । ପ୍ଲାଷ୍ଟିକର ବ୍ୟବହାର ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ନିଷେଧ କରାଯାଇଛି । ପ୍ଲାଷ୍ଟିକ୍ ରହିତ ଫୁଲତୋଡା ବ୍ୟବହାର କରାଯିବ । ବ୍ଲକ ଉନ୍ନୟନ ଅଧିକାରୀ ମାନେ ପ୍ଲାଷ୍ଟିକ୍ ବର୍ଜନ୍ ଉପରେ ଅଧିକ ଧ୍ୟାନ ଦେବେ । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଧାତବ ପାଣି ବୋତଲ ବ୍ୟବହାର କରିବେ । କର୍ମଚାରୀ ମାନେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଧ୍ୟମୋତେ କିଛି ବୋତଲ ଦାନ କରିବାକୁ କୁହାଯାଇଛି । ସବୁଜ ପରିବେଶ ସୃଷ୍ଟିରେ ସରକାରୀ କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସହଯୋଗ ରହିବ । କର୍ମଚାରୀ ମାନେ ବ୍ୟକ୍ତିଗତ ଅଂହକାର ମନୋବୃତ୍ତି ପରିତ୍ୟାଗ କରି ଗୋଷ୍ଠୀଗତ ଭାବେ କାର୍ଯ୍ୟକରିବାକୁ କୁହାଯାଇଛି ।ସମସ୍ତ ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗସ୍ତ ସମୟରେ ପରିଦର୍ଶନ କରିବେ । ଚାଷୀର ଆୟ ଦ୍ୱିଗୁଣିତ କରିବା ପାଇଁ ପଞ୍ଚାୟତ ସ୍ତରରେ ୧୦ଜଣ ବଛାବଛା ଚାଷୀଙ୍କୁ ଆଦର୍ଶ ଚାଷୀ କରାଯିବା ସହିତ ଅନ୍ୟ ଚାଷୀ ମାନଙ୍କୁ ସେହି ଧାରାରେ ଅନୁପ୍ରାଣିତ ହେବା ନିମନ୍ତେ ପ୍ରୋତ୍ସାହିତ କରାଯିବ । ଅସ୍ୱଚ୍ଛ ପାଣି ପିଇବା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ପେଟରୋଗ ସମସ୍ୟା ଦେଖାଦେଉଥିବାରୁ ଆସନ୍ତା ସୋମବାର ଠାରୁ ବିଦ୍ୟାଳୟ ମାନଙ୍କରେ ପ୍ରତ୍ୟହ ତିନିପର୍ଯ୍ୟାୟରେ ଘଣ୍ଟି ବଜାୟୀ ସେମାନଙ୍କୁ ପାଣି ପିଇବା ପାଇଁ ପ୍ରୋତ୍ସାହିତ କରାଯିବ । ଜିଲ୍ଲାରେ ସମସ୍ତ ପରିବାର ଗୁଡିକର ଡାଟାବେସ୍ କରାଯିବ । ଏଥିରେ ସଦସ୍ୟ ସଂଖ୍ୟା , ଶିକ୍ଷାଗତ ଯୋଗ୍ୟତା, ଘରର ରୂପରେଖ , ଜମିବାଡି ବିବରଣୀ, ବ୍ୟାଙ୍କ ଏକାଉଣ୍ଟ ପ୍ରଭୃତି ତଥ୍ୟ ରହିବ । ଯାହାଫଳରେ ଯୋଜନା ଗୁଡିକର ମାନଦଣ୍ଡ ପାଇଁ ସେମାନଙ୍କର ଯୋଗ୍ୟତାକୁ ତୁରନ୍ତ ନିର୍ଦ୍ଧାରିତ କରାଯାଇପାରିବ । ଖବର କାଗଜ ଗୁଡିକରେ ବାହରୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାପାଳଙ୍କୁ ଅବଗତ କରିବା ନିମନ୍ତେ କୁହାଯାଇଛି । ଫାଇବ-ଟି ର କାର୍ଯ୍ୟକାରିତା ଗଂଜାମ ଜିଲ୍ଲାରେ ଅଧିକ ଦୃଶ୍ୟମାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆଶା ପ୍ରକାଶ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।


