ବଉଳା ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ଠାରେ ବଉଳା ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଯୁବପିଢ଼ୀମାନେ ଯେପରି ସାହିତ୍ୟପ୍ରତି ଆକୃଷ୍ଟ ହେବେ ସେନେଇ ସାହିତ୍ୟ ରଚନା ହେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଉପସଭାପତି ଅମୁଲ୍ୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତି୍ୟକ ଡ. ନାରାୟଣ ସେନାପତି ଯୋଗଦେଇ କବିତା ଗୁଡିକ ବଣର ଝରଣା ପରି ସ୍ୱଚ୍ଛନ୍ଦ ଓ ସକାଳର ଖରା ପରି ନମନୀୟ ହେବା ଉଚିତ । ଯାହାଦ୍ୱାରା ପାଠକ ମାନଙ୍କୁ ସହଜରେ ଆକୃଷ୍ଟ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କନକ ମଞ୍ଜରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ ମହାନ୍ତି ଯୋଗଦେଇ ପୁରାତ ସଂସ୍କୃତି ଓ ବର୍ତ୍ତମାନର ସାହିତ୍ୟର ଦିଗ ଉପରେ ମତ୍ୟବକ୍ତ କରିବା ସହିତ ସାହିିତି୍ୟକ ମାନେ ଆଜିର ସମାଜକୁ ଦିଗଦର୍ଶନ ଦେବାଭଳି ସାହିତ୍ୟ ରଚନା କରିବା ଆବଶ୍ୟକ ବୋଲି ମତଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାହିତି୍ୟକ ହଳଧର ପଣ୍ଡା, ବିଷ୍ଣୁ ପଦରଜ ମହାନ୍ତି, ବ୍ୟଙ୍ଗ କବି ବାଇଡଙ୍କ ବାବା ପ୍ରମୁଖ ଯୋଗଦେଇ ସାହିତ୍ୟ ଓ କବିତା ପରଷ୍ପର ମଧ୍ୟରେ ସମ୍ପର୍କକୁ ବାନ୍ଧି ରଖିବାର ଏକ ମାଧ୍ୟମ ହୋଇଥାଏ । ବର୍ତ୍ତମାନ ସମୟରେ କିପରି ଯୁବପିଢ଼ୀମାନେ ଓଡିଆ ଭାଷା ସାହିତ୍ୟ ପ୍ରତି ଆକୃଷ୍ଟ ହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ବରିଷ୍ଠ ସଦସ୍ୟ ରତ୍ନାକର ଦାସ ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଅଧ୍ୟାପକ ସୁବାସ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର “ବଉଳା’କୁ ଅତିଥିମାନେ ଲୋକର୍ପଣ କରିଥିଲେ । ଏହି ଅବସରରେ କବି ତଥା ସାହିତି୍ୟକ ଗୋକୁଳ ବିହାରୀ ପୃଷ୍ଟିଙ୍କୁ ‘ବଉଳା ସମ୍ମାନ’ ବିଜୟ କୁମାର ଜେନାଙ୍କୁ ସଂସଦ ସମ୍ବର୍ଦ୍ଧନା ଓ କବି ଚିନ୍ତାମଣୀ ଦାସଙ୍କୁ ସାହିତ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନାରାୟଣ ଚନ୍ଦ୍ର ସାହୁ, କାଞ୍ଚନବାଳା ଜେନା , ସୁବାସ ପାତ୍ରଙ୍କ ଦ୍ୱାରା ମାନପତ୍ର ପାଠ କରାଯାଇଥିଲା । ଏହି ଉତ୍ସବରେ ଶିଶୁ ସାହିତି୍ୟକ ଡ ରାମଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଚତୁର୍ଭୁଜ ପହି,ଅନ୍ତର୍ଯ୍ୟାମୀ ରାଉତ, ଶରତ କୁମାର ରାଉତଙ୍କ ସମେତ ବହୁ ବରିଷ୍ଠ କବି ସାହିତି୍ୟକ ମାନେ ଉପସ୍ଥିତ ଥିଲେ । ପ୍ରଥମ ଅଧିବେସନରେ ସୁବାସ ପାତ୍ର, କାଞ୍ଚନବାଳା ଜେନା ଓ ନାରାୟଣ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ମୁରଲୀଧର ବେହେରା, ଶାରଳା ମହାପାତ୍ର, ମମତା ସ୍ୱାଇଁ, ନଳିନି ପ୍ରଭା ଘଡେଇ, ବନମାଳି ଜେନା, ଦେବେନ୍ଦ୍ର କୁମାର ଦାସ, ଅଭୟ କୁମାର ସାମଲ, ତିଳୋତ୍ତମା ସା, ରମାକାନ୍ତ ପହି, ହେମନ୍ତ କୁମାର ନାୟକ, ଅଧିକାରୀ ନାୟକ, ବିଷ୍ଣୁପ୍ରୀୟା ତ୍ରିପାଠୀ, ସୁଶାନ୍ତ କୁମାର ଦାସ, ଦଶରଥ ସାହୁ, ନରେନ୍ଦ୍ର ପ୍ରସାଦ ବେହେରା, ପୁଷ୍ପାଞ୍ଜଳୀ ମହାପାତ୍ର, କୈଳାଶ ଚନ୍ଦ୍ର ବେହେରା, ନରହରି ରାଉତ, ଧୁମକେତୁ ଦାସଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ଏହି ବାର୍ଷିକ ଉତ୍ସବରେ ଆନନ୍ଦପୁର ଓ ଭଦ୍ରକ ଓ ଯାଜପୁର ଅଞ୍ଚଳର ଶତାଧିକ କବି, କବୟତ୍ରୀ ଓ ସାହିତି୍ୟକ ମାନେ ଯୋଗ ଦେଇଥିଲେ । ହରିହର ସାମଲ, ଅନନ୍ତ ଚରଣ ମୁଦୁଲି ଓ ବାଳାଶ୍ରମର କର୍ମକତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


