ବନ୍ତ ବ୍ଲକରେ ଉପଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ କୋଭିଡ୍ ସଂକ୍ରମିତ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଶାସନିକ ସ୍ତରରେ ଏନେଇ ତତ୍ପରତା ପ୍ରକାଶ ପାଇଛି । ଉଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ବ୍ଲକ ଗ୍ରସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ । ବୈଠକରେ ବିଡିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ବନ୍ତ ଆଇଆଇସି ମିନା ବିନ୍ଧାଣୀ ଯୋଗ ଦେଇ ପ୍ରଶାସନିକ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ । ଘରେ ଘରେ ଆଶା, ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ନିୟମିତ ସର୍ବେକ୍ଷଣ କରାଯାଇ କୋଭିଡ୍-୧୯ ଆଣ୍ଟିଜେନ୍ ଟେଷ୍ଟ କରାଇବା, କ୍ଲଷ୍ଟର ଟି.ଏମ୍.ସି ଏବଂ ପ୍ରତି ପଞ୍ଚାୟତରେ କୋଭିଡ୍ ହୋମ କେୟାର ବ୍ୟବସ୍ଥା କରାଯାଇଥିବା ବିଷୟରେ ଅବଗତ କରାଇଥିଲେ । ଏଥିସହିତ ଗ୍ରାମ୍ୟ କୋଭିିଡ୍ ପରିଚାଳନା କମିଟି ମାଧ୍ୟମରେ କିପରି ଲୋକ ମାନଙ୍କୁ ସାବୁନ୍ରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ବିଷୟରେ ସଚେତନ କରାଯାଉଛି ସେ ସଂପର୍କରେ ଅବଗତ କରାଯାଇଥିଲା । କୋଭିଡ୍ ନିୟମ ଅନୁଯାୟୀ ଆଇନ ଉଲଂଘନକାରୀ ମାନଙ୍କୁ ଜୋରିମାନା କରାଯାଉଥିବା ସଂପର୍କରେ ଅବଗତ କରାଯାଇଥିଲା । ଉପଜିଲ୍ଲାପାଳ କୋଭିଡ୍-୧୯ ଗାଇଡ୍ ଲାଇନ୍କୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅପରପକ୍ଷେ ବିଭିନ୍ନ ବଜାରରେ ମାଜିଷ୍ଟ୍ରେଟ୍ ଏବଂ ପୋଲିସ ନିଷ୍ଠାର ସହିତ ଉପସ୍ଥିତ ରହି ଗାଇଡ୍ ଲାଇନ୍ କାର୍ଯ୍ୟକାରୀ କରାଇବାକୁ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି ।