ବସ୍ତା ବ୍ଲକ ସ୍ତରୀୟ ବ୍ରାହ୍ମଣ ସମିତିର ସାଂଗଠନିକ ସଭା ଅନୁଷ୍ଠିତ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ବସ୍ତାବ୍ଲକ୍ ନାବରା ଗ୍ରାମପଞ୍ଚାୟତର ସିଦେ୍ଧଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ବସ୍ତା ବ୍ଲକ୍ସ୍ତରୀୟ ବ୍ରାହ୍ମଣ ସମିତିର ଏକ ସାଂଗଠନିକ ସଭା ପଣ୍ଡିତ କାହ୍ନୁଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବେଦପାଠପରେ ସଭାପତିଙ୍କ ଦ୍ୱାରା ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଉକ୍ତ ବୈଠକରେ ବସ୍ତା ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ବ୍ରାହ୍ମଣମାନେ ଏବଂ ଜିଲ୍ଲା ବ୍ରାହ୍ମଣ ସମିତିର କାର୍ଯ୍ୟକାରୀ କମିଟିର ସଦସ୍ୟ ପଣ୍ଡିତ କ୍ଷିତିଶ ଚନ୍ଦ୍ର ପଣ୍ଡା ଓ ସଂଗଠନ ସଂପାଦକ ପଣ୍ଡିତ ଭୃଗୁରାମ କର ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଭାରତବର୍ଷ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସ୍ୱାଧୀନତାର ୭୨ବର୍ଷ ପରେ ଜାତିବିଭାଗକୁ ସରକାରଙ୍କଦ୍ୱାରା ପ୍ରୋତ୍ସାହିତ କରାଯାଇ ସମାଜକୁ ଭାଗଭାଗ କରି ଭୋଟ ବ୍ୟାଙ୍କ୍ ସୃଷ୍ଟିକରି ଶାସନ କରିବାର ନୀତିକୁ ବୈଠକରେ ବିରୋଧ କରାଯାଇଥିଲା । ଜାତିଭିତ୍ତିକ କୋଟା ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ସମାଜରେ ଉଚ୍ଚବର୍ଗ ବ୍ୟକ୍ତିମାନଙ୍କ ସହିତ ବ୍ରାହ୍ମଣମାନେ ଅବହେଳିତ ଓ ଉପେକ୍ଷିତ ହୋଇପଡ଼ୁଥିବାରୁ କୋଟା ସଂରକ୍ଷଣ ନୀତି ପ୍ରତ୍ୟାହାର କରିବାକୁ ସଭାରେ ଦାବି କରାଯାଇଥିଲା । ମେଧା ଓ ଅର୍ଥନୈତିକ ଅନଗ୍ରସର ଆଧାରରେ ଶିକ୍ଷା, କର୍ମନିଯୁକ୍ତି ଓ ପଦୋନ୍ନତି ଦେବାର ବ୍ୟବସ୍ଥା ଗ୍ରହଣ କରିବାକୁ ସଭାରେ ଦାବି କରାଯାଇଥିଲା । ବୈଦିକ ପରମ୍ପରାକୁ ପୁନର୍ଜୀବିତ କରି ରଖିବା ପାଇଁ ବସ୍ତା ବ୍ଲକ୍ରେ ଏକ ବୈଦିକ କର୍ମକାଣ୍ଡ ବିଦ୍ୟାଳୟ ସରକାରଙ୍କ ସହାୟତାରେ ସ୍ଥାପନ କରିବା ଓ ପୂଜକ ବ୍ରାହ୍ମଣମାନଙ୍କୁ ମାସିକ ୫ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ପାଇଁ ସଭାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଥିଲା । ଆଲୋଚନା ଅନ୍ତେ ଉପସ୍ଥିତ ବ୍ରାହ୍ମଣମାନେ ତୃଣମୂଳ ସ୍ତରରୁ ସଂଗଠିତ ହୋଇ ଜିଲ୍ଲାର ସଂଗଠନକୁ ଆଗେଇନେବା ପାଇଁ ଶପଥବଦ୍ଧ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ମିଶ୍ର, ରବୀନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପଣ୍ଡା, ଶଶିକାନ୍ତ ପଣ୍ଡା, ରାମଚନ୍ଦ୍ର ମିଶ୍ର, ବିଜୟ ପଣ୍ଡା, କାଳିକିଙ୍କର ମିଶ୍ର, ସୁନିଲ୍ ପଣ୍ଡା, ବସନ୍ତ ତ୍ରିପାଠୀ, ସୃଷ୍ଟିଧର ପଣ୍ଡା, ସୃଷ୍ଟିଧର ଦାଶ, ହୃଷିକେଶ ପାଣିଗ୍ରାହୀ, ଚକ୍ରଧର ମହାପାତ୍ର, ରଘୁନାଥ ତ୍ରିପାଠୀ, ଶିବଶଙ୍କର ବ୍ରହ୍ମଚାରୀ, ରଘୁନାଥ ମିଶ୍ର, ବଂଶୀଧର ପତି, ବସନ୍ତ ଦାଶ, ଚିତ୍ତରଞ୍ଜନ ପଣ୍ଡା, ଭାଗିରଥି ତ୍ରିପାଠୀ, ବିଶ୍ୱବିଜୟ ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା, ଦୟାନିଧି କର, ବସନ୍ତ ପାଣି, ସୁମନ୍ତ ପାଢ଼ୀ ଆଦି ବ୍ରାହ୍ମଣମାନେ ବୈଠକରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଶେଷରେ ପଣ୍ଡିତ ମୁରାରୀ ମୋହନ ମିଶ୍ର ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେବାପରେ ଶାନ୍ତିପାଠ ପୂର୍ବକ ସଭାପତିଙ୍କ ଦ୍ୱାରା ସଭାସାଙ୍ଗ ହୋଇଥିଲା ।