ବାଇକ ଦୁର୍ଘଟଣାରେ ୨ ମୃତ,୨ ଗୁରୁତର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ମହିମା ଆଶ୍ରମ ନିକଟରେ ଗୁରୁବାର ବାଇକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡେରିକି ପଂଚାୟତ ଡେରିକି ଗ୍ରାମର ଗଣେଷ ଦାସ(୫୭) ଓ ପତ୍ନୀ ଲତା ଦାସ(୫୬)ଙ୍କର ମୃତ୍ୟୁ ଘଟିଥିବା ବେଳେ ବଛାଳୋସ୍ଥିତ ବାମୁଣିଗାଁର ଜ୍ୱାଇଁ ବାପି ରାଉତ(୩୫)ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ସୁଚନା ଅନୁସାରେ ଜ୍ୱାଇଁ ବାପି ତାଙ୍କ ଶାଶୁ ଓ ଶ୍ୱଶୁରଙ୍କୁ ନେଇ ହିରୋହୁଣ୍ଡା (ଓଡି୩୩କ୍ୟୁ୨୮୭୮) ନମ୍ବର ବାଇକ ଯୋଗେ ଡେରିକିରୁ ଜଗତସିଂହପୁର ଯାଉଥିଲେ । ତେଂଟୋଇସ୍ଥିତ ମହିମା ଆଶ୍ରମ ନିକଟରେ ଭାରସାମ ହରାଇ ରାସ୍ତା କଡକୁ ଖସି ପଡିଥିଲେ । ଫଳରେ ସେମାନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ସ୍ଥାନୀୟ ଲୋକମାନେ ବାଧ୍ୟ ହୋଇ ଏକ ଅଟୋ ଯୋଗେ ଜ୍ୱାଇଁ ଓ ଶାଶୁଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇ ଥିବା ବେଳେ ଶ୍ୱଶୁର ଗଣେଷଙ୍କୁ ଦମକଳ ଗାଡି ସାହାର୍ଯ୍ୟରେ ଅଣାଯାଇଥିଲା । କିନ୍ତୁ ଡାକ୍ତର ଶ୍ୱଶୁର ଗଣେଷକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଜ୍ୱାଇଁ ବାପି ଓ ଶାଶୁ ଲତାଙ୍କୁୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ଡାକ୍ତର ଶାଶୁ ଲତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଜ୍ୱାଇଁ ବାପିଙ୍କୁ କଟକ ମେଡିକାଲକୁ ପଠାଯାଇଥିବା ଜଣାଯାଇଛି । ନାଉଗାଁ ପୋଲିସ ଖବର ପାଇଁ ଶବକୁ ଜବତ କରିଥିବା ଜଣାଯାଇଛି ।