ବାକି ଥିବା +୨ ପରୀକ୍ଷା ହେବ
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । କରୋନା ଲକଡାଉନ ପାଇଁ ସ୍କୁଲ ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବାବେଳେ ପୂର୍ବରୁ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା +୨ର ବାକି ଥିବା ସବୁ ବିଷୟର ପରୀକ୍ଷା ହେବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ଲକଡାଉନ ଉଠିବା ପରେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯିବ । ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଗତକାଲି ସିବିଏସଇର ଅବଶିଷ୍ଟ ପରୀକ୍ଷା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ସିବିଏସଇ ନିଷ୍ପତ୍ତି ନେଲା ପରେ ଆମେ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛୁ । କିଛି ପରୀକ୍ଷା କେନ୍ଦ୍ରକୁ କ୍ୱାରେଣ୍ଟାଇନ ସେଣ୍ଟର କରିବାକୁ କୁହାଯାଇଛି । ତାହାକୁ ଭିତ୍ତି କରି ପରୀକ୍ଷା କେନ୍ଦ୍ର ଚୟନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ସିବିଏସଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଏପ୍ରିଲ ୧ରେ ଜାରି ହୋଇଥିବା ସର୍କୁଲାର ବଳବତ୍ତର ଅଛି । ଦଶମ ଓ ଦ୍ୱାଦଶର ୨୯ଟି ବିଷୟର ପରୀକ୍ଷା ପୂର୍ବ ସର୍କୁଲାର ଅନୁସାରେ ହେବ । ପରୀକ୍ଷାର ୧୦ ଦିନ ପୂର୍ବରୁ ଜଣାଇ ଦିଆଯିବାକୁ ପୂର୍ବ ସର୍କୁଲାର ଥିଲା ।


