ବାଘାଯତୀନଙ୍କ ୧୦୪ତମ ବଳିଦାନ ଦିବସ ପାଳିତ

ବାଲେଶ୍ୱର,: ଦେଶମୁକ୍ତି ସଂଗ୍ରାମର ମହାନାୟକ ବିପ୍ଳବୀ ବୀର ବାଘାଯତୀନ ଓ ତାଙ୍କର ୪ଜଣ ସତୀର୍ଥ ବନ୍ଧୁ ଚିତ୍ତପ୍ରିୟ, ମନୋରଞ୍ଜନ, ନୀରେନ୍ ଓ ଯତୀଶ ପାଲ୍ ପ୍ରମୁଖ ପଞ୍ଚବିପ୍ଳବୀ ସେଦିନ ପ୍ରଥମ ବିଶ୍ୱଯୁଦ୍ଧର ଘଡ଼ିସନ୍ଧି ମୁହୂର୍ତ୍ତ ୧୯୧୫ ସେପ୍ଟେମ୍ବର ୯ ରକ୍ତତୀର୍ଥ ଚଷାଖଣ୍ଡ ଠାରେ ୩୦୦ରୁ ଊଦ୍ଧ୍ୱର୍ ବ୍ରିଟିଶ ସେନା ଓ ପୋଲିସ୍ ବାହିନୀ ସହ ସମ୍ମୁଖ ସଶସ୍ତ୍ର ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ଯେଉଁ ଅସୀମ ତ୍ୟାଗ, ଅତୁଳନୀୟ ଦେଶପ୍ରେମ ଓ ଅମାପ ବଳିଦାନର ନଜୀର ଆମ ସମ୍ମୁଖରେ ଛାଡ଼ିଦେଇଗଲେ ତାହାହିଁ ପରବର୍ତ୍ତୀ କାଳରେ ରକ୍ତାକ୍ତ ବିପ୍ଳବରେ ଭାରତବର୍ଷର ସ୍ୱାଧୀନତାପ୍ରାପ୍ତିର ଲଢ଼େଇକୁ ଅଧିକ ରୁଦ୍ଧିମନ୍ତ କରିଥିଲା । ତାଙ୍କର ଶେଷବାଣୀ ଥିଲା, “ଆମରା ମର୍ବ, ଜଗତ୍ ଜାଗ୍ବ” । ସେପ୍ଟେମ୍ବର ୧୦, ୧୯୧୫ ବାଘାଯତୀନଙ୍କ ବୀରଗତିପ୍ରାପ୍ତି ପରେ ଶହୀଦ ଭଗତ୍ ସିଂହ, ଉଦ୍ଦାମ ସିଂହ, ରାମପ୍ରସାଦ ବିସ୍ମିଲ୍ଲା ଓ ଚନ୍ଦ୍ରଶେଖର ଆଜାଦ୍ ଆଦିଙ୍କ କ୍ରାନ୍ତିକାରୀ କାର୍ଯ୍ୟକଳାପ ୧୯୨୧ରୁ ୧୯୨୫ ବିପ୍ଳବୀ ମାଷ୍ଟରଦା ବା ସୂର୍ଯ୍ୟସେନ୍ଙ୍କ ୧୯୩୦ ଚଟ୍ଟଗ୍ରାମ ବିଦ୍ରୋହ ଏବଂ ପରିଶେଷରେ ୧୯୪୩ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ରାସବିହାରୀ ବୋଷଙ୍କ ନେତୃତ୍ୱରେ ଆଜାଦହିନ୍ଦ୍ ଫୌଜର ‘ଦିଲ୍ଲୀ ଚଲୋ’ ଅଭିଯାନ ଓ ବ୍ରିଟିଶ୍ ଶାସିତ ଭାରତବର୍ଷରେ ୧୯୪୩ ଅକ୍ଟୋବର ୨୧ ଆଜାଦ୍ ହିନ୍ଦ୍ ସ୍ୱାଧୀନ ସରକାର ଗଠନ, ଇମ୍ଫାଲ୍ର ମଇରଙ୍ଗ ଦଖଲ ଓ ତ୍ରିରଙ୍ଗା ପତାକା ଉତ୍ତୋଳନର ଦୁଃସାହସୀଘଟଣା ଭାରତବର୍ଷର ସ୍ୱାଧୀନତାପ୍ରାପ୍ତିର ପଥକୁ ସୁଗମ କରିଥିଲା । ଶତ୍ରୁ ଯେତେବେଳେ ଦୁର୍ବଳ, ବିବ୍ରତ ଓ ଶଙ୍କାଗ୍ରସ୍ତ ସେତେବେଳେ ଶତ୍ରୁର ଶରୀରରେ ଆଉ ଏକ ପ୍ରଚଣ୍ଡ ପ୍ରହାର କରି ନିଜର ସ୍ୱାଧୀନତା ବା ସ୍ୱରାଜକୁ ହାସଲ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଏ ଦେଶର କ୍ରାନ୍ତିକାରୀ ଯୁବଗୋଷ୍ଠୀ ବେଶ୍ ଭଲଭାବେ ଉପଲବ୍ଧି କରିଥିଲେ । ଆଉ ଏହି ତତ୍ତ୍ୱର ସଫଳ ରୂପାୟନ ପାଇଁ ବାଘାଯତୀନ ଓ ତାଙ୍କର ସାଥୀଗଣ ୧୯୦୮ ମସିହାରେ ବଙ୍ଗଳାରୁ ବାଲେଶ୍ୱର ଚାଲିଆସିଥିଲେ । ଶିମିଳିପାଳର ଘଞ୍ଚ ଜଙ୍ଗଲ ଓ କପ୍ତିପଦାସ୍ଥ ମହୁଲଡିହା ଜମିଦାର ମନୀନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ବଣଜଙ୍ଗଲଘେରା ବଗିଚା ଥିଲା ଯତୀନ୍ଦ୍ରନାଥଙ୍କ ଗୋପନୀୟ ଆଶ୍ରମ ଓ ଗରିଲା ଯୁଦ୍ଧର ତାଲିମକେନ୍ଦ୍ର ବାଘାଯତୀନ ନିଜକୁ ରାମାନନ୍ଦ ସ୍ୱାମୀ ଭାବେ ଅବିହିତ କରି ବାଲେଶ୍ୱରରୁ ବୁଢ଼ାବଳଙ୍ଗ ଓ ସୋଣନଦୀ ତଟ ମାଳିବନ୍ଧ ଓ ତୁଳସୀବଣିଆ ଦେଇ ରେମୁଣାସ୍ଥ କୁଟପୋଖରୀ କନକଦୁର୍ଗା ପୀଠହୋଇ ନୀଳଗିରି ଅତିକ୍ରମ କରି ଗ୍ରାମ୍ୟରାସ୍ତାରେ କପ୍ତିପଦା ଯାଉଥିଲେ ଅତ୍ୟନ୍ତ ଲୁକ୍କାୟିତ ଭାବେ । କନକଦୁର୍ଗାପୀଠର ସାଧକ ଯୋଗୀ ମୁକ୍ତିସଂଗ୍ରାମୀ ହରିଗୋଲାମ ଦାସଙ୍କ ସହ ବାଘାଯତୀନଙ୍କ ସଂପର୍କ ଥିଲା ମଣିକାଞ୍ଚନ ସଦୃଶ । ସେଠାରେ ବାଘାଯତୀନଙ୍କର ଅନେକ ସମୟ ବିଶ୍ରାମ, ରାତ୍ରି ରହଣି ଓ ଆଶ୍ରୟସାଙ୍ଗକୁ ହରିଗୋଲାମଙ୍କ ସହ ସେ ଅନେକ ଗୁପ୍ତ ମନ୍ତ୍ରଣା କରୁଥିଲେ, ତାଙ୍କର ଆଗାମୀ ଦିନର ବୈପ୍ଳବିକ ଅଭିଯାନ ଓ ରଣନୀତିକୁ ସଫଳ ରୂପ ଦେବାପାଇଁ । ଯେଉଁଥିପାଇଁକି ପରବର୍ତ୍ତୀ କାଳରେ ବାଘାଯତୀନଙ୍କ ମୃତ୍ୟୁ ଓ ତାଙ୍କ ସାଥୀମାନଙ୍କୁ ଫାଶୀଦଣ୍ଡ ଏବଂ କଳାପାଣି ପରେ ୧୯୧୮ରୁ ୧୯୨୨ ପର୍ଯ୍ୟନ୍ତ ୪ବର୍ଷ ଲାଗି ବ୍ରିଟିଶ ସରକାର ହରିଗୋଲାମ ଦାସଙ୍କୁ ଗିରଫ କରି ମହାରାଷ୍ଟ୍ରର ନାସିକ୍ କେନ୍ଦ୍ରୀୟ ଜେଲ୍କୁ ପଠାଇଦେଇଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ରାଜବନ୍ଦୀ । ଏହାହିଁ ଥିଲା ବିପ୍ଳବର ବନ୍ଧୁର ପଥରେ ମୁକ୍ତିଯୋଦ୍ଧା ବୀର ବାଘାଯତୀନ୍ ଓ ଯୋଗୀ ରାମାନନ୍ଦ ହରିଗୋଲାମ ଦାସଙ୍କ ମାତୃଭୂମିକୁ ମୁକ୍ତି କରିବାର ଦୁର୍ବାର ଅଭିଯାନର ଦୀର୍ଘକାଳୀନ ଲଢ଼େଇର ଏକ କ୍ଷୁଦ୍ର ଆଲେଖ୍ୟ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ କମିଟି ପକ୍ଷରୁ ମନ୍ଦିର ପରିଚାଳନା ଟ୍ରଷ୍ଟର କର୍ମକର୍ତ୍ତା ଗୋକୁଳ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥିଭାବେ ବିଶିଷ୍ଟ ସର୍ବୋଦୟ ନେତା ଶ୍ରୀ ବିଧାନ ଚନ୍ଦ୍ର ରାୟ ମୁଖ୍ୟବକ୍ତା ଭାବେ ସମାଜସେବୀ ଅରୁଣ ଜେନା, ସମ୍ମାନୀତ ଅତିଥିଭାବେ ଆଇନଜୀବୀ ତୁଷାରକାନ୍ତ ମହାପାତ୍ରଙ୍କ ସମେତ ଡ. ରଜନୀକାନ୍ତ ନାୟକ, ସୁଶାନ୍ତ ପଣ୍ଡା, ନୀଳାମ୍ବର ପୁହାଣ, କବି ସୂର୍ଯ୍ୟନାରାୟଣ ବେଉରା, ରାମଚନ୍ଦ୍ର ସାହୁ, ଗୀତାଞ୍ଜଳି ପାଲ୍ ଓ ସତ୍ୟରଞ୍ଜନ ପାକଳ ପ୍ରମୁଖ ବକ୍ତବ୍ୟ ଦେଇ ବୀର ବାଘାଯତୀନ୍ଙ୍କ ବଳିଦାନ ଓ ରକ୍ତତୀର୍ଥ ଚଷାଖଣ୍ଡ ଯୁଦ୍ଧର ସ୍ମୃତିଚାରଣ କରିଥିଲେ । ଏହି ବୀରପୁତ୍ରମାନଙ୍କ ଦେଶପ୍ରେମ ଓ ବଳିଦାନ କାଳକାଳକୁ ଆମର ଆଗାମୀ ପିଢ଼ୀକୁ ଦେଶଭକ୍ତିରେ ଅନୁପ୍ରାଣିତ କରିବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ