ବାଘ ମୁଖା ତଳେ ୪୫ ବର୍ଷ

(ଯୁଗାଦ୍ଦ ନ୍ୟୁଜ) , ନାଁ ତାଙ୍କର ୟୋଶିରା ହାରାଡା । ହେଲେ ସେ ଦୀର୍ଘ ୪୫ ବର୍ଷ ହେବ ପରିଚିତ ହେଉଛନ୍ତି ଶିନ୍ଜୁକୁ ଟାଇଗର୍ ନାମରେ । ଜାପାନର ଟୋକିଓରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ଘରେ ଘରେ ଖବରକାଗଜ ପହଞ୍ଚାଇବା କାମ କରନ୍ତି । ବୟସ ତାଙ୍କୁ ୬୯ ବର୍ଷ । ହେଲେ ସେ ପହଞ୍ଚିଗଲେ ପିଲାମାନଙ୍କ ଖୁସି ବଢ଼ିଯାଏ । କାରଣ ହେଉଛି ସେ ପିନ୍ଧୁଥିବା ବାଘ ମୁଖା । ୧୯୭୨ ମସିହାରୁ ସେ ପିନ୍ଧି ଆସୁଛନ୍ତି ପ୍ଲାଷ୍ଟିକ୍ର ବାଘ ମୁଖା । ଆଉ ଜୀବନସାରା ବାଘ ଭଳି ବିତେଇବାକୁ ଚାହାନ୍ତି । ୟୋଶିରା ପେସାରେ ଖବରକାଗଜ ବିତରକ । ସ୍କୁଲରେ ପଢ଼ିବା ସମୟରୁ ସେ ଏହି କାମ କରିଆସୁଛନ୍ତି । ତାଙ୍କୁ ଏ କାମ ବହୁତ ଭଲ ଲାଗୁଥିଲା । ସେଥିପାଇଁ ସେ ୟୁନିଭର୍ସିଟି ପଢ଼ା ଛାଡ଼ି ଏଥିରେ ମନଯୋଗ ଦେଇଥିଲେ । ତେବେ ୧୯୭୨ରେ କାବୁକିଚୋରେ ହେଉଥିବା ଏକ ମହୋତ୍ସବରେ ଯୋଗ ଦେବାପରେ ତାଙ୍କ ଦୁନିଆ ବଦଳିଯାଇଥିଲା । ସେଠି ସେ ଅନେକ ରଙ୍ଗିନ ବାଘ ମୁଖା ଦେଖିବାକୁ ପାଇଥିଲେ । ସେଗୁଡ଼ିକୁ ଦେଖିବା ପରେ ହିଁ ମୁଖା ପିନ୍ଧି ବାଘ ପରି ଜୀବନ ବିତାଇବାକୁ ସେ ମନ ବଳାଇଥିଲେ । ଆଉ ସେହିଦିନ ସେ ସେଠାରୁ ୩୦ଟି ମୁଖା କିଣି ଆଣିଥିଲେ । କାରଣ ଆଜୀବନ ପିନ୍ଧିବାକୁ ହେଲେ ଏକାଧିକ ମୁଖା ଆବଶ୍ୟକ ପଡ଼ିବ । ସେବେଠାରୁ ସେ ଅଫିସ ଯାଆନ୍ତୁ କି ଖବରକାଗଜ ବିତରଣ କରିବାକୁ, ଏମିତିକି ବାକି ସମୟରେ ବି ମୁଖା ପିନ୍ଧି ରହନ୍ତି । ବହୁତ କମ୍ ସମୟ ପାଇଁ, ନିହାତି ଜରୁରୀ ନ ହେଲେ ସେ ମୁଖା ବାହାର କରନ୍ତି ନାହିଁ । ମୁଖା ବ୍ୟତୀତ ସେ ଗୋଲାପି ରଙ୍ଗର ଏକ ୱିଗ୍ ବ୍ୟବହାର କରନ୍ତି । ବିଭିନ୍ନ ରଙ୍ଗବେରଙ୍ଗର ପାଷାକ ପିନ୍ଧନ୍ତି ଓ ସାଙ୍ଗରେ ଅନେକ ସୁନ୍ଦର ଶଫ୍ଟ ଟୟ ଧରି ଖବରକାଗଜ ବିତରଣ କରନ୍ତି । ପାହାନ୍ତା ୩ଟା ୩୦ରୁ ଉଠି ସେ ତାଙ୍କର ପ୍ରଥମ ଡେଲିଭରି ୫ଟାରେ ଆରମ୍ଭ କରନ୍ତି । ଦୁଇଘଣ୍ଟାରେ କାମ ସରିବା ପରେ ଘରକୁ ଆସି ବିଶ୍ରାମ ନିଅନ୍ତି । ପୁଣି ଥରେ ଅପରାହ୍ନ ୩ଟା ବେଳେ ଦ୍ୱିତୀୟ ଖବରକାଗଜ ଡେଲିଭରି କାମରେ ଲାଗନ୍ତି । ଏ ବୟସରେ ବି ସେ ବେଶ୍ ଚଳଚଞ୍ଚଳ । ଯୁବସୁଲଭ ମନ ନେଇ ସେ ବାଘର ଜୀବନ ବିତାଉଛନ୍ତି । ନିଜ କାମ କରି ଚାଲିଛନ୍ତି ଓ ଅନ୍ୟକୁ ଖୁସି ବାଣ୍ଟୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ