ବାତ୍ୟା ‘ଅକଭାନ’ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଧାମନଗର (ଓ୍ବାଇଏନଏସ): ବାତ୍ୟା ‘ଅକଭାନ’ର ପ୍ରଭାବରେ ଧାମନଗର ବ୍ଲକ ଏନ ଏ ସି ବିଭିନ୍ନ ଅଞ୍ଚଳରେ ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଗୁରୁବାର ସକାଳୁ ସକାଳୁ ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଦିନତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ବଜାରଘାଟରେ ମଧ୍ୟ ଲୋକଙ୍କ ଚଳପ୍ରଚଳ କମିଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨୦ ତାରିଖ ଶୁକ୍ରବାର ଦିନ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଧାମନଗର ବ୍ଲକ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଓ ଆଗୁଆ ବାଦ୍ୟଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ସେହିପରି ଏନ ଏ ସି କାର୍ଯ୍ୟାଳୟରେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଓ ଆଗୁଆ ପ୍ରସ୍ତୁତି ସହ ସମୀକ୍ଷା ବୈଠକ ହୋଇଥିଲା। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍‌କୁ ସଜାଗ ରଖାଯାଇଛି। ସହରରେ ୬ଟା ସ୍ଥାନ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ରଖାଯିବ ସେଠାରେ ରନ୍ଧା ଖାଦ୍ୟ ସହ ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଜମିରେ ପାଚିଲା ଧାନ କଟା ହୋଇ ନଥିବାବେଳେ ବର୍ଷା ଯୋଗୁଁ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ବେଳେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଥିସହ ବିଭିନ୍ନ ସ୍ଥାନରେ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ବର୍ଷସାରା ପରିଶ୍ରମ କରି ଅମଳ ସମୟରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି।ବାତ୍ୟାର ପ୍ରଭାବ ଆଗକୁ କିଭଳି ରହିବ ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣିପାଗ ପରିସ୍ଥିତି ଉପରେ ନଜର ରଖିବା ସହ ତଳିଆ ଅଞ୍ଚଳ ଓ ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ଆଗୁଆ ସତର୍କତା ଓ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା “ଆକଭାନ” ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଓ ସମ୍ପତିପ୍ରତି ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଧାମନଗର ବ୍ଲକ ଏବଂ ଏନ ଏ ସି କାର୍ଯ୍ୟାଳୟ ପକ୍ଷରୁ ବାଦ୍ୟଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ଆଗୁଆ ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ