ନାଉଗାଁ ବ୍ଲକର ୧୬ ପଞ୍ଚାୟତରେ ୧୬ ଆଶ୍ରୟସ୍ଥଳୀ

ନାଉଗାଁ ,(ପ୍ରଦୋଷ ମହାନ୍ତି) : ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବାବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୯୦୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ମୋଟ ୧୫୨୫ ଜଣଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ସହ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ନାଉଗାଁ ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଠିକ୍ ସମୟରେ ରନ୍ଧା ଖାଦ୍ୟ ସମେତ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ସେ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ବିଡିଓ ନିରଞ୍ଜନ ପରିଡ଼ା, ଅତିରିକ୍ତ ତହସିଲଦାର ଶରତ ପରିଡ଼ା, ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ସନ୍ଧ୍ୟା ସୁଦ୍ଧା ଶିଖର ପଞ୍ଚାୟତର ଅଙ୍ଗେଶ୍ୱରପଡ଼ା ଆଶ୍ରୟସ୍ଥଳୀରେ ସର୍ବାଧିକ ୧୭୪ ଜଣ ଆଶ୍ରୟ ନେଇଥିବାବେଳେ ଅଲଣାରେ ୧୭୨, ବଛାଳୋରେ ୧୫୦, ଓଷକଣାରେ ୧୧୦, ଗଜରାଜପୁରରେ ୧୦୦, କୋରୁଅରେ ୬୦, ରୋହିଆରେ ୫୦, ଡାବରରେ ୪୦, ଡେରିକିରେ ୨୦, ନାଉଗାଁରେ ୮ ଓ ଗଳଦାରୀରେ ୬ ଜଣ ସ୍ଥାନାନ୍ତର ହୋଇଥିଲେ। ସେହିପରି ଘୋଡ଼ାଂଶ ପଞ୍ଚାୟତରେ ସନ୍ଧ୍ୟା ୫ଟା ପରେ ୪ ଜଣ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଂଶ, ନୂଆଗାଁ, ଜାମୁଗାଁ ଓ ତିରୁଣା ପଞ୍ଚାୟତରେ ସନ୍ଧ୍ୟା ସୁଦ୍ଧା କେହି ଆଶ୍ରୟସ୍ଥଳୀକୁ ଆସିନଥିଲେ । ତେବେ ଅସୁରକ୍ଷିତ ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି ।ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରଶାସନିକ ଦାୟିତ୍ୱରେ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓଙ୍କ ସମେତ ବ୍ଲକର ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥିସହ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ନିଜ ନିଜ ଦାୟିତ୍ୱ ତୁଲାଉଛନ୍ତି । ଅଲଣା ସେଲଟର ରେ ସରପଞ୍ଚ ଚନ୍ଦ୍ରମଣି ବେହେରା, ପିଇଓ ବରଦା ପ୍ରସନ୍ନ ସାମଲ , ଏଡିଇଓ  ରଶ୍ମିତା ତ୍ରିପାଠୀ , ନାୟବ ସରପଞ୍ଚ ରଶ୍ମିତା ପାତ୍ର ସେଲଟର ରେ ରହି ଅନ୍ତେବାସୀ ଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ,   ଅନ୍ୟପକ୍ଷରେ ନାଉଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ଦୁଇଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି। ଡାକ୍ତର ନିରୋଦ କୁମାର ସାହୁ ଓ ଡାକ୍ତର ଭି. ସୁନୟନା ଶିବାନୀ ଦୁଇଟି ଭ୍ରାମ୍ୟମାଣ ଗାଡ଼ି ମାଧ୍ୟମରେ ଗୃହପାଳିତ ପଶୁଙ୍କ ଚିକିତ୍ସା ଓ ଯତ୍ନ ସମ୍ପର୍କିତ କାର୍ଯ୍ୟର ତଦାରଖ କରୁଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ