ବାତ୍ୟା ସହାୟତାରୁ ବଞ୍ଚିତ ବିପନ୍ନ ତାତିଲେ
ବ୍ରହ୍ମଗିରି (ଜୁଗାବ୍ଦ ନ୍ୟୁଜ୍): ଫାନି ବାତ୍ୟାରେ ବ୍ରହ୍ମଗିରିରେ ନାହିଁନଥିବା କ୍ଷୟକ୍ଷତି ହୋଇଥିଲା । ସରକାରୀ ବେସରକାରୀ ସ୍ତରରେ ବାତ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଗଲା । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ରାସନ କାର୍ଡ ହିତାଧିକାରୀଙ୍କୁ ୨ ହଜାର ଟଙ୍କା, ଚାଉଳ ଓ ଜରିପାଲ ସହାୟତା ଯୋଗାଇ ଦିଆଯାଇଥିଲା । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାସନ କାର୍ଡରୁ ବାଦ୍ ପଡିଥିବା ବିପନ୍ନ ହିତାଧିକାରୀଙ୍କୁ ମଧ୍ୟ ୨ ହଜାର ଟଙ୍କା, ଚାଉଳ ଓ ଜରିପାଲ ଯୋଗାଇ ଦିଆଯିବା ପାଇଁ ବିପନ୍ନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେଲା । ପ୍ରଥମେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ହିତାଧିକାରୀ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଚଞ୍ଚକତା କରାଯାଇ ପଞ୍ଚାୟତ ମାଧ୍ୟମରେ ହିତାଧିକାରୀ ଚୟନ କାର୍ଯ୍ୟକ୍ରମ ହେଲା । ଯାହାକି ଏହି ପ୍ରକ୍ରିୟାରେ ମନମାନି କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ତାଲିକା ପ୍ରସ୍ତୁତ କରାଯାଇ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏମିତିକି ପୂର୍ବରୁ ରାସନ କାର୍ଡ ହିତାଧିକାରୀ ଭାବରେ ଉକ୍ତ ସହାୟତା ପାଇଥିବା ବେଳେ ବର୍ତ୍ତମାନ ରାସନ କାର୍ଡ ନଥିବା ତାଲିକାରେ ମଧ୍ୟ ସହାୟତା ପାଇଥିବା ଅଭିଯୋଗ ହୋଇଛି । ଏନେଇ ଦୁଇଦିନ ଧରି ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଗୁରୁବାର କେତେକ ବିପନ୍ନ ହିତାଧିକାରୀ ବ୍ଲକରେ ପହଞ୍ଚି ହୋହାଲ୍ଲା କରିଥିଲେ । ଯଥାଶୀଘ୍ର ତଦନ୍ତ କରାଯାଇ ବିପନ୍ନ ତାଲିକା ପ୍ରସ୍ତୁତିରେ ଜଡିତ ଥିବା କର୍ମଚାରୀଙ୍କ ପ୍ରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତୁରନ୍ତ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି । ନଚେତ ଏହା ଏକ ବଡଧରଣ ଆନ୍ଦୋଳନର ଦାନା ବାନ୍ଧିବ ବୋଲି ଆଶଙ୍କା କରାଯାଇଛି ।